ବୋଉ
ବୋଉ
ଡହ ଡହ ଗ୍ରୀଷମର ଉଦୁ ଉଦିଆ ଦି'ପହରେ
ଝଲକାଏ ଥଣ୍ଡା ପବନ ପରି ତା' କାନିର ଶୀତଳ ପରଶ ,
ସେଇ ଝାଳ ଭିଜା ଶାଢୀ କାନିଟିରେ ଭରିଥିବା
ତେଲ , ହଳଦୀ ଆଉ ମସଲାର ଫେଣ୍ଟା ଫେଣ୍ଟି ବାସ୍ନାରେ,
ମୋ ଭିତରେ ସଂଚରି ଯାଏ ଏକ ମହାର୍ଘ୍ୟ ଭୋକର ଆଭାସ ।।
ତା' ମଥାରେ ଦାଉ ଦାଉ ଜଳୁଥିବା ସିନ୍ଦୂର ଟୋପାଟି ,
ମତେ ଲାଗେ ସୂର୍ଯ୍ୟ ଆଉ ଚନ୍ଦ୍ର ଠାରୁ ଆହୁରି ଉଜ୍ଜ୍ଵଳ ,
ତା' ମନଟା ଦିଗନ୍ତ ବିସ୍ତାରି ତୋଫା ସୁନୀଳ ଆକାଶ ଠାରୁ
ଆହୁରି ବିସ୍ତୀର୍ଣ୍ଣ , ଆହୁରି ତୋଫା , ଆହୁରି ନିର୍ମଳ ।।
ତା' ନାକର ତାରା ଫୁଲ ଟିକୁ , ସରି ନୁହେଁ ହଜାରେ ତାରକା,
ତା' ବେକର ହରଡ ଫାଳିଆ ହାର ଆଉ କାନ ଝୁମୁକାକୁ
ସରି ନୁହେଁ ମରକତ ମଣି , ଗଜମୋତି ଅବା ହୀରାର କଣିକା
ତା ' ପାନଖିଆ ପାଟିର ଅଳପ ହସରେ ସ୍ଵର୍ଗ ସୁଖ ଲାଗେ ଫିକା ଫିକା ।।
ତା ' ଛ' ତିଅଣ ନ' ଭଜାର ସୁଆଦ ମିଳିବ କି
କହ ଦେଖି କେଉଁ ପାଞ୍ଚ ତାରା ଭୋଜନାଳୟରେ ?
ତା' ହାତର ପଖାଳ ମୁଠାକ ପରା ଅମୃତକୁ ଟାଳି ଦେଇ ପାରେ ,
ତା' ମିଠା ମିଠା ଗାଳି ଟିକେ ଶୁଣିବା ଲାଗି ସଦା ମନ ଝୁରେ ।।
ବୋଉ ମୋର ଦେବୀ ପ୍ରତିମାଟି ତା'ପରି ହେବ କିଏ ଆଉ ?
ମଣେ ମୁଁ ନିଜକୁ ଧନ୍ୟ ତା' କୋଳରେ ଜନମି ଥିବାରୁ
ହେ ପ୍ରଭୁ ଦୟାମୟ ! କୃପାନିଧି ! କରୁଣା ବାରିଧି ! ଏହି କୃପା ହେଉ ,
ମୋ ବୋଉର ବରଦ ହସ୍ତ ମୋ ମଥାରେ ଚିରକାଳ ଥାଉ ।।
