ବୋଉ
ବୋଉ
ବୋଉ ବୋଲି ଡାକିଦେଲେ ଥରେ
ବ୍ରହ୍ମନାଦଟିଏ ସଂଚରିଯାଏ
ସାରା ଦେହରେ ଯେମିତି
କେମିତିକା ଶବ୍ଦଟିଏ ସତେ
ଭାବିଲେ ଆଖିରୁ ଝରିଆସେ ଆପେ ଆପେ
ଲୁହ ସବୁ ଥପ୍ ଥପ୍ ହୋଇ ।
ବୋଉ ପାଇଁ ଲେଖିଲେ କବିତା ସରେନି
କେଉଁଠୁ ଆରମ୍ଭ ତାର ଶେଷ ଜଣା ନାହିଁ
ସେ ତ୍ ମମତାର ଅସୀମ ଦରିଆ
ନୀଳ ଆକାଶ ପରି ତାର ପଣତକାନି
ଉଡୁଥାଏ ସଦା ଫରଫର
ବଡ ଦେଉଳର ନେତ ଭଳି ।
ବଢିଭୋରୁ ସମସ୍ତେ ଉଠିବା ଆଗରୁ ସେ ଉଠିଯାଏ
ବୋଉକୁ ରାତିରେ ବୋଧେ ନିଦ ହୁଏନି
ବାସିପାଇଟି କାମସାରି ଠାକୁରଘରେ
ଘିଅଦୀପ ଜାଳି ସଦା ମନାସେ
ଗୁଣୁଗୁଣୁ ହୋଇ ଠାକୁର ପାଶେ ଲୁହ ଭରି
କଣ ମାଗେ କେଜାଣି ଘଣ୍ଟା ଘଣ୍ଟା ଧରି ।
ବୋଉ ଉପରେ ଉପରେ ହସିଲେ ବି
ଭିତରେ କାହିଁ ଲାଗେ ଦୁଃଖିନୀଟିଏ
ବୋଉ ମାନେ ସତରେ କଣ
ଶୋଷିନିଅନ୍ତି ସନ୍ତାନର କଷଣକୁ
ଝରାଇ ଅମୃତ ଆଶିଷର ହାତ ଟେକି
ଶେଷ ଯାଏଁ ଆମକୁ ଚାଲି ଶିଖାନ୍ତି ହାତ ଧରି ।
ବୋଉ ପାଶେ ଥିଲେ ଶତସିଂହର ବଳ ଆସେ
ନଥିଲେ ସବୁ ଲାଗେ ଅନ୍ଧକାର
ଖାଁ ଖାଁ ହାରିଯାଏ ମୁଁ ନିଜକୁ ନିଜେ
ନିଦ ଆସେନି କି ଭୋକ ଲାଗେନି
ଯେତେବେଳ ଯାଏ ମୋ ମୁଣ୍ଡରେ ହାତ ନ ଆଉଁସେ ।
ବୋଉ ଆଗେ ପାରେନି ମୁଁ ମିଛ କହି
ତା ସେନେହ ବୋଳା କଥାରେ
ଯେତେ ବଡ ହେଲେ ବି ତାପାଇଁ କଅଁଳା ଛୁଆଟେ ମୁଁ
ସବୁ ଦୋଷ କ୍ଷମା କରିଦିଏ ତାର ପଣତକାନି
ଅଭୟ ବର ପାଇଯାଏ ତାହାରି ସକାଶେ ।
