ବନ୍ଦନୀୟା..
ବନ୍ଦନୀୟା..
କେତେ ବାଣୀ ଅଛି କେତେ ବୋଲି ଅଛି,
ମା'ବୋଲି ପରି ବୋଲି ନାହିଁ ।
କେତେ ଭାଷା ଅଛି ଉପଭାଷା ଅଛି,
ମାତୃଭାଷା ପରି ଭାଷା ନାହିଁ ।
ଯିଏ ନ ଶୁଣି ଵି ବ୍ୟଥା ଜାଣି ପାରେ,
ଯିଏ ନ କହିଲେ ଵି କଥା ବୁଝି ପାରେ ।
ତା ବୋଲି,ବାଣୀରେ କୁହୁକ ଯେ ଅଛି,
ନିମିଷକେ ସିଏ ମୋହି ନିଏ ।
ସେ ମାଆ,ତା'ଦୁନିଆଁ କେହି ନୁହେଁ,
ସେ ସାହା,ତା'କିମିଆଁ ଆନ ନୁହେଁ ।
ହୁଣ୍ଡୀ,ଜାଡ଼ି ଅବା କୁଜି,କେମ୍ପି ହେଉ,
ସେ ସଦା ବନ୍ଦନୀୟା, ମାଆ ସିଏ ।
ମାଆ ଚିର ନମସ୍ୟା,ମାତା ସିଏ,
ସେ ସାହା,ଜନନୀ,ଧାତ୍ରୀ ସିଏ..!
କେତେ ଭାବ ଅଛି,ପରାଭବ ଯେ ଅଛି,
ସେ ଅଭାବକୁ ଭାବ ନାହିଁ କିଏ ।
କେତେ ମୋହ ଅଛି,କେତେ ଲୋଭ ଅଛି,
ମମତାର ମୋହ ପରି ନାହିଁ କିଏ ।
ଯା'ଭାବରେ ଯେତେ ଶରଧା ଯେ ଅଛି,
ତା'ହୃଦୟେ ମମତା ସରି କିଏ..?
ଯିଏ ରୁସି ଥିଲେ କୋଳେ ଲୋଟି ନିଏ,
ଯିଏ ରାଗି ଥିଲେ ହୃଦେ ତୋଳି ନିଏ ।
ଭାଙ୍ଗି ଥିଲେ ସିଏ ଗଢି ଦେଇ ପାରେ,
ଅମୃତର ଧାରା ସଦା ବୋହି ଦିଏ ।
ତା'ସ୍ନେହ,ଶରଧା ଅତୁଲ୍ୟ, ଅମୁଲ୍ୟ,
ସେ ମାଆ,ମମତାମୟୀ ସିଏ ।
ସେ ମାଆ,ଜୀବନ ଦାୟିନୀ ଯିଏ,
ସେ ସାହା,ସୃଷ୍ଟି କାରିଣୀ ସିଏ..!
କେତେ ଯତ୍ନ ଅଛି, କେତେ ରତ୍ନ ଅଛି,
ତା'ଯତ୍ନ ଅମୂଲ୍ୟ ରତ୍ନ ସିଏ ।
କେତେ ସ୍ନେହ ଅଛି କେତେ ଶ୍ରଦ୍ଧା ଅଛି
ତା'ଶ୍ରଦ୍ଧା ତୁଳନା ଅତୁଲ୍ୟ ଯିଏ ।
ଅଯାଚିତ ଭାବେ ଯାଚି ଦେଇ ପାରେ,
ଅକୁଣ୍ଠ ଚିତ୍ତରେ ମନ ମୋହି ପାରେ ।
ସଦା ସ୍ରୋତସ୍ୱିନୀ ମନ୍ଦାକିନୀ ବାରି,
ନିର୍ଝରିଣୀ ପରି ମମତା ଝରୁ ଥାଏ ।
ସେ ମାଆ, କରୁଣା ମୟୀ ସିଏ,
ସେ ମାଆ, ଆନନ୍ଦ ଦାୟିନୀ ଯିଏ ।
ମାଆ ଡାକରେ ତା'ହୃଦୟ କମ୍ପନ,
ତା'ଆୟୁଷକୁ ବାଣ୍ଟି ଦେଇ ପାରେ ।
ସେ ମାଆ, ତା'ପରି କେହି ନୁହେଁ,
ସେ ସାହା,ଏ ଦୁନିଆଁ ସରି ନୁହେଁ ।
ଚିର ବନ୍ଦନୀୟା,ସର୍ବତୋ ନମସ୍ୟା,
ସେ ଆମ ମାଆ, ଆଉ କେହି ନୁହେଁ..!