ବନ୍ଦୀ
ବନ୍ଦୀ


ତୁମ
ବିଧୂର ପ୍ରାଣର ବନ୍ଧୁ ହୋଇ,
ମନ ଆକାଶର ଇନ୍ଦୁ ହୋଇ,
ନିଶବ୍ଦରେ ପାଦ ଥାପି ଥାପି
ତୁମ ହୃଦ ଅଗଣାରେ
ଆସିଥିଲି ଦିନେ ମୁହିଁ ବଧୂଟିଏ ସାଜି!
ବାନ୍ଧି ହୋଇ ବିବାହର ପବିତ୍ର ବନ୍ଧନେ
ଅନୁରାଗୀଣିଟି ହୋଇ ତୁମ ସ୍ନେହ ପ୍ରେମେ,
ବନ୍ଦିନୀଟି ହୋଇ ତୁମ ସୂକ୍ଷ୍ମ ହୃଦୟରେ
ସାଥି ହୋଇ ରହିବାକୁ ସହ-ସାଥି ହୋଇ !
ତୁମ ତେଲ ଲୁଣ ସଂସାରକୁ ମୋର ବୋଲି ଆପଣେଇ
ସମ୍ପୂର୍ଣ ସଁଅପି ଦେଇଥିଲି ମୋ ନିଜକୁ ବନ୍ଦିନୀ ସଜାଇ !
ମୋର ସବୁ ଅସଜଡ଼ା ଅଝଟ ପଣିଆ
ଆଉ ନିପରିଆ ପଣିଆକୁ
ତୁମ ପ୍ରେମ ଶିକୁଳିରେ ବାନ୍ଧି ଦେବା ପାଇଁ !
କିନ୍ତୁ ଏ କଣ ?
ତୁମେ ମୋତେ ସେ ବଂଧନୁ କରି ଦେଲ ମୁକ୍ତ !
ଉଲୁଗୁଣା ତାଡନାର ଅବ ମୂଲ୍ୟାୟନେ ,
ମୋର ଯେତେ ସଜଡା ପଣିଆକୁବି
ଅସଜଡ଼ା ଦ୍ୱାହି ଦେଇ
କରିଚାଲ ଅହରହ କ୍ଷତାକ୍ତ ରକ୍ତାକ୍ତ !
ସମ୍ପର୍କର ନର୍କ କାରାଗାରେ
ସଜାଇ ରଖିଲ ମୋତେ
ମୋ ଶରୀର କୋଠରୀରେ ବନ୍ଦୀ ଟିଏ କରି !
ଥୋପୀ ଦେଇ ତୁମର ସେ ଅହଂକାର ବେଡି !
ସ୍ୱେଚ୍ଛାଚାରିତାର ଶକ୍ତ ଚାବୁକ ପ୍ରହାରେ
ଆଉ ମାଲିକାନା କଡା ପହରାରେ;
ମୋ ଅବଚେତନ ମନର ତମାମ ଆଗ୍ରହ ସବୁ
ମସ୍ତିଷ୍କରେ ଗଲେ ଶୋଇ!
ଆଉ ଉତ୍ତରର ଅପେକ୍ଷା ମୋ ନାହିଁ !
ବାସ୍!!
ବନ୍ଦୀ ଟିର ଆତ୍ମ କଥା ଏହି !