ବନ୍ଧୁ ହେ
ବନ୍ଧୁ ହେ
ଦୟାକର ପ୍ରଭୁ ଏ ହୀନଜନକୁ
କରିନିଅ ବନ୍ଧୁ ତୁମ,
ଦୁନିଆର ସବୁ ମାୟାମୋହ ଛାଡ଼ି
ଶରଣେ ପଡ଼ିଲି ତୁମ ।।
ତୁମେ ପରା ବନ୍ଧୁ ବନ୍ଧୁ ମହାନ୍ତିର
ଅନ୍ତର କଥା ବୁଝିଲ,
ରାତି ଅଧଟାରେ ଭୋଗଥାଳି ଦେଇ
ବନ୍ଧୁପଣ ଦେଖାଇଲ ।।
ସୁଦାମାର ବନ୍ଧୁ ହୋଇଥିଲ ତୁମେ
ଖୁଦଭଜାକୁ ଖାଇଲ,
ବନ୍ଧୁ ପଣେ ତାକୁ ସର୍ବସ୍ଵ ଦେଇଣ
ରାଜାରୂପେ ଠିଆକଲ ।।
ଭକତ ବିଦୁର ବନ୍ଧୁ ହୋଇ ତୁମେ
ଶାଗଭଜା ଖାଇଥିଲ,
ବନ୍ଧୁ ଶ୍ରେଷ୍ଠ ବୋଲି ବାଇଦ ବଜାଇ
ଜଗତକୁ ଜଣାଇଲ ।।
ଦାସିଆ ବାଉରୀ ନଡ଼ିଆ ଯାଚିଲା
ହସ୍ତ ବଢାଇଣ ନେଲ,
ଗରିବର ବନ୍ଧୁ ଯୁଗେ ଯୁଗେ ତୁମେ
ଦୁଃଖେ ହୁଏ ମୁଁ ବିକଳ ।।
ବନ୍ଧୁ ବୋଲି ତୁମ ସ୍ଵୀକାର କରହେ
ମାଗିବିନି କିଛି ତୁମେ,
ଦୁଃଖରେ ସୁଖରେ ବଳ ଦେଉଥିବ
ରଖହେ ଚରଣେ ତୁମ ।।
ଗୁନ୍ଥି ଦେବି ମୁହିଁ ମଲ୍ଲିମାଳାଟିଏ
ଗଳାରେ ଦେବି ଲମ୍ବାଇ,
ବାଛିବାଛି ନାନା କୋଳି ମୁଁ ଆଣିବି
ବଣ ରାଇଜରେ ବୁଲି ।।
ବନ୍ଧୁ ମୋ ହୋଇବ କରିବନି ମନା
ଆଶା ରଖିଅଛି ମୁହିଁ,
ମିଛ ମାୟାର ଏ ସଂସାରରେ ବନ୍ଧୁ
ସବୁ ମାୟା ଯେ ଅଟଇ ।।
ଘେନ ଆହେ ପ୍ରଭୁ ବନ୍ଧୁ ନିମନ୍ତ୍ରଣ
କରିବନି ପ୍ରତ୍ୟାଖ୍ୟାନ,
ଗରିବର ବନ୍ଧୁ ତୁମେ ବୋଲି ପ୍ରଭୁ
ମାଗୁଛି ତୁମ ଶରଣ ।।
