STORYMIRROR

Dambarudhar Dash

Classics

4  

Dambarudhar Dash

Classics

ବନ୍ଦେ ଉତ୍କଳଜନନୀ

ବନ୍ଦେ ଉତ୍କଳଜନନୀ

1 min
177

ତୁ ଯେ ସ୍ନେହମୟୀ     ତୁ ଯେ ଦୟାମୟୀ 

       ଅଭୟ ଦାୟିନୀ ମାଆ

ପଣତ ଘୋଡାଇ      ରଖିଥିବୁ ସଦା 

       ହୋଇଥିବୁ ମୋତେ ସାହା ।।୧।।

ତୋ କୋମଳ ସ୍ପର୍ଶେ    ଫୁଲ ନିତି ହସେ 

       ବନେ ସବୁଜିମା ଭରେ

ଶସ୍ୟ ଶ୍ୟାମଳରେ     ପୂରିଉଠେ ଭୂଇଁ 

      ତୋ ନାମୁ ଅମୃତ ଝରେ ।।୨।।

ମହାନଦୀ ତୋର      ଚରଣ ଧୋଉଛି 

       ଶିରେ ଶୋହେ ଦେଓମାଳି

ତୋ ଶୋଭା ବଢାନ୍ତି    ପୁରୀ କୋଣାରକ

       ଲିଙ୍ଗରାଜ କୁ ଧଉଳି ।।୩।।

କଳା ସ୍ଥାପତ୍ୟରେ      ଭରା ଏ ଓଡ଼ିଶା

        ସାରା ବିଶ୍ୱେ ପରିଚିତ

ପଥର ଦେହରେ       ଖୋଦିତ ମୂରତି

        ଦିଶଇ କେଡେ ଜୀବନ୍ତ ।।୪।।

ବାର ବରଷର         ବାଳକ ଯେଉଁଠି 

        ମନ୍ଦିରର ମୁଣ୍ଡି ମାରେ

କାରୁ କାର୍ଯ୍ୟ ପାଇଁ       ସେ ମନ୍ଦିର ପୁଣି

         ସ୍ଥାନିତ ସପ୍ତାଶ୍ଚର୍ଯ୍ୟରେ ।।୫।।

ଚାରି ଧାମୁ ଶ୍ରେଷ୍ଠ       ପୁରୀ ଶିରୀ କ୍ଷେତ୍ର

         ବାରଂଗ ଯେ ବାରବାଟି

ଚନ୍ଦକା ଚିଲିକା        ଭିତରକନିକା

        ଶୋଭିତ ଓଡ଼ିଶା ମାଟି।।୬।।

କାଳିଆ ଠାକୁର      ଯାର ଅଧୀଶ୍ଵର 

       ସ୍ନେହପ୍ରେମ ବାଣ୍ଟୁଥାଏ

ନାହିଁ ଜାତି ଧର୍ମ       ଧନୀ କି ଗରୀବ 

      ସଭିଙ୍କୁ କୋଳେଇ ନିଏ ।।୭।।

ତୋହରି ସୁରକ୍ଷା      ପାଇଁ କେତେ ବୀର

       ଦେଇଛନ୍ତି ପ୍ରାଣବଳି

ଚଣ୍ଡାଶୋକ ପୁଣି      ଧର୍ମାଶୋକ ହୁଏ

      ପାଇ ତୋ ଚରଣ ଧୂଳି ।।୮।।

ତୋ କୋଳେ ଜନମି      ଧନ୍ୟ ହେଲି ମୁହିଁ 

      ତୋତେ କେବେ ଭୁଲିବିନି

ଜୀବ ଥିବାଯାଏ       ହୃଦେ ଜପୁଥିବି 

      ବନ୍ଦେ ଉତ୍କଳ ଜନନୀ

      ବନ୍ଦେ ଉତ୍କଳ ଜନନୀ ।।୯।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics