ବଳରାମ ଉବାଚ
ବଳରାମ ଉବାଚ
ତ୍ରେତୟା ଯୁଗରେ ବଡଭାଇ ହେଲୁ
ସଦା ମୁଁ ତୋହର ପଛେ ଚାଲିଲି
କେତେ ଦୁଃଖ କଷ୍ଟ ସହିବାକୁ ହେଲା
ସବୁ ମୁଁ ଆଖିରେ ନିଜେ ଦେଖିଲି।।
ରଜାପୁଅ ହେଇ ବଣକୁ ତୁ ଗଲୁ
ପାଦରେ କେତେ ଯେ କଣ୍ଟା ଫୁଟିଲା
ଭାବିଛୁ କି ଥରେ ତୁ କଷ୍ଟ ପାଇବା
ଅନ୍ତରକୁ ମୋର କେତେ ବାଧିଲା।।
ତୋ ଆଖିରୁ ଯେବେ ଝରୁଥିଲା ଲୁହ
ଝରୁଥିଲା ଲହୁ ଛାତିରୁ ମୋର
ପ୍ରତିବାଦ କରିପାରୁ ତ ନଥିଲି
ଯେଣୁ ବଡଭାଇ ଥିଲୁ ତୁ ମୋର।।
ଏବେ କିନ୍ତୁ ଯୁଗ ବଦଳି ଯାଇଛି
ଦ୍ବାପର ଚାଲିଛି ତ୍ରେତା ସରିଛି
ମୋ କଥା ମାନିଲୁ ସାନଭାଇ ହେଲୁ
ବଡଭାଇ ମୁଁ ଏ ଯୁଗେ ହେଇଛି।।
ହେଲେ ମୁଁ ଦେଖୁଛି ସାନଭାଇ ହେଇ
କେଡେ ଚତୁରେ ତୁ କହୁଛୁ କଥା
ତୋ କଥାର କୂଳ କିନାରା ପାଉନି
ଶୁଣିକରି ଘୁରି ଯାଉଛି ମଥା।।
କଥା ଦେଇଥିଲୁ ମାନିବୁ ମୋ କଥା
ଚାଲିବୁ ମୋହର କଥାରେ ତୁହି
ହେଲେ ତୋ କଅଁଳ କଥାର ଯାଦୁରେ
ସବୁବେଳେ ମୋତେ ଦେଉ ଭୁଲାଇ।।
କେତେ ରଙ୍ଗେ କଥା କହୁଛୁ ତୁ କାହ୍ନା
ରଙ୍ଗ ଅଧରରେ ମୋହିନୀ ହସ
ସେ ହସରେ ତୁ ଯେ ଲୁଚାଇ ରଖୁଛୁ
କେତେ ଯେ ଅକୁହା ଗୁଢ ରହସ୍ୟ।।
ସମର୍ଥ ମୁଁ ନୁହେଁ ଭେଦିବାକୁ ତୋର
କଥା ଓ ହସର ସବୁ ରହସ୍ୟ
ସେଇଥିପାଇଁ ଏ ତିନି ଭୂବନରେ
ସଚରାଚରର ତୁହି ନମସ୍ୟ।।