ବଳିୟାର ଭୂଜ
ବଳିୟାର ଭୂଜ
ହାତ ନାହିଁ ଗୋଡ଼ ନାହିଁ
ଦାରୁବ୍ରହ୍ମ ପ୍ରଭୁ କଳା କହ୍ନାଇ
ଚକାନୟନରେ ରହିଛ ଚାହିଁ,
ବଡ଼ଦାଣ୍ଡେ ତୁମ୍ଭ ପତିତଙ୍କ ଭିଡ଼
ହେଉନି ଉଦ୍ଧାର କୁହ କିମ୍ପାଇଁ ।
ଚଳୁଅଛି ନନ୍ଦିଘୋଷ
ବିଜେ ବଡ଼ଦିଅ ହଳୀ ବଳରାମ
ଚକ୍ର ସୁଦର୍ଶନ ସୁଭଦ୍ରା ମାତ,
ଜଳେ ବୈଷ୍ଣବାଗ୍ନି ବିଧିବିଧାନରେ
ଶ୍ରୀ ମହାପ୍ରସାଦ ହୁଏ ପ୍ରସ୍ତୁତ
କୁହ ମହାପ୍ରଭୁ ଜଗତରନାଥ
ମୁକତି କୈବଲ୍ୟ ସୁଲଭ କାହିଁ ।
ହଟିଯାଉ ମିଛମାୟା
ମିଳୁ କଳ୍ପବଟ ଶୀତଳଛାୟା
ଲଭୁ ଚଉବର୍ଗ ପ୍ରତିଟି ଜୀବନ
ସମାଜର ଗ୍ଳାନି ବ୍ୟକ୍ତି ଅଥର୍ବତା
ନ ବିସ୍ତାରୁ ପାପ କଳଙ୍କ ଛାୟା
ପ୍ରଜ୍ଜ୍ୱଳୁ ଆଲୋକ ସତ୍ୟଧରମର
ସଞ୍ଚରୁ ଅମୃତ ଭାବ ଗୋସାଇଁ ।
ଆଦିକନ୍ଦ ପଦ୍ମପାଦ
ବଳିଆର ଭୂଜ କର ପ୍ରସାର
ସିଂହ ଦୁଆରର ଫିଟାଅ କପାଟ
ମୁକତି ପଥକୁ କର ସୁପ୍ରଶସ୍ତ
ବରଦମୁଦ୍ରାରେ ଢାଳ ଶୁଭାଶିଷ
ନିସ୍ତରୁ ପତିତ ନାମକୁ ଗାଇ ।
