ବିରହର ଦହନରେ
ବିରହର ଦହନରେ
ମିଛ ଭରସାରେ ଆଜିବି ବଞ୍ଚିଛି
ଲେଉଟିବ ତୁମେ ବୋଲି
ଚିରସ୍ରୋତା ହେଲା ଆଖିର ଶ୍ରାବଣ
ଯେବେଠାରୁ ଗଲ ଚାଲି ।।
ଝାଉଁଳିଗଲାଣି ଏ ଦେହ ଯୌବନ
ବିରହର ଦହନରେ
ସ୍ପନ୍ଦନର ବେଗ ଥମି ତ ଗଲାଣି
ଆଶାତୀତ ଅପେକ୍ଷାରେ ।।
କାରାଗାରର ସେ ଅପରାଧୀ ପରି
ସାଜିଛି ଏବେ ଜୀବନ
ପ୍ରେମ ବନ୍ଧନରେ ବନ୍ଦୀ କରି ତୁମେ
ଜାଳୁଅଛ ପ୍ରତିକ୍ଷଣ ।।
ମହମର ପରି ତରଳି ଯାଉଛି
ବିଚ୍ଛେଦର ଦାବାଗ୍ନିରେ
ଶେଷଦେଖା ଦିଅ ଶେଷଥର ପାଇଁ
ମୃତ୍ୟୁ ଏବେ ନିକଟରେ ।।
ଫେରିଆସ ଥରେ ମୁହୂର୍ତ୍ତଟେ ପାଇଁ
ଡେଇଁ ସବୁ ସୀମାରେଖା
ମୁକ୍ତ କରିଦିଅ ବନ୍ଧନରୁ ମୋତେ
ଦେଇଥରେ ଶେଷଦେଖା।।
