ବିରହିନୀ
ବିରହିନୀ
ଅସ୍ତାଚଳେ ରବି ବସା ମୁହାଁ ପକ୍ଷୀ
ବିରସେ ରାଧିକା ବସି,
ଉତ୍କଣ୍ଠା ମନରେ ବାରମ୍ବାର ଦେଖେ
ଆସୁ ନାହିଁ ଗୋପ ଶଶୀ ।
ବଇଁଶୀର ସ୍ଵନ ନଟରେ ଉଛନ୍ନ
ବିକଳରେ ଖୋଜୁଅଛି
ବସ୍ତ୍ର ଅଳଙ୍କାର ଦିଶୁନି ସୁନ୍ଦର
ଭଲ ଲାଗୁ ନାହିଁ କିଛି ।
କିଶୋରୀ ବଦନ କାହିଁକି ମଳିନ
ବିଦୂଷେ କର ବିଚାର,
କୃଷ୍ଣ ନଟବର କାଳିଆ ନାଗର
ଅଟେ ରାଧା ଉପଚାର ।
ବିରହିଣୀ ରାଧା ଅପେକ୍ଷା କରିଛି
ନିକୁଞ୍ଜ କାନନେ ରହି,
କାହ୍ନୁ ଯାଇ ଥିଲା ମଥୁରା କଟକ
କାହିଁ ସିଏ ଫେରୁ ନାହିଁ ।
ଖାଲି ପଡି ଅଛି କେଳି କୁଞ୍ଜ ଆଜି
ଖେଳି ବାକୁ କାହ୍ନା ନାହିଁ,
ବିରହ ଜ୍ଵାଳାରେ ଜଳୁ ଅଛି ରାଇ
କାନ୍ଦୁ ଅଛି କଇଁ କଇଁ ।
ମନେ ପଡି ଯାଏ ବିଗତ ମୁହୂର୍ତ୍ତ
ଖେଳୁଥିଲେ କୁଞ୍ଜ କେଳି,
ଶିଆଳି ଲତାରେ ଖେଳୁଥିବା ଦୋଳି
ହେଉଥଲେ କୋଳା କୋଳି ।
ଯମୁନା କୂଳରେ କଦମ୍ବ ଡାଳରେ
ଆଉ ବସୁ ନାହିଁ ନଟ,
ମଥୁରା ହାଟକୁ ଦହି ବିକି ଗଲେ
ଓଗାଳୁନି କେହି ବାଟ ।
କାଖେଇ କଳସି ଜଳ ନେଲେ ଗୋପୀ
କଣା ହେଉନି ମାଠିଆ,
ସର ଓ ଲବଣୀ କେ ଚୋରି କରିବ
ନାହିଁ ସେ ନଟଖଟିଆ ।
ହେ ନଟଖଟିଆ ପାଦରେ ମୁଣ୍ଡିଆ
ଏ ଭବରୁ କର ପାରି,
ଗୋବିନ୍ଦ କେଶବ ଶ୍ରୀକୃଷ୍ଣ ମାଧବ
ଦୀନବନ୍ଧୁ ଦଇତାରି ।