ବିରହ ବିଧୁରୀ
ବିରହ ବିଧୁରୀ
ଯେତିକି ପାଖକୁ ଯାଉଛି ତୁମର
ତୁମେ ଯାଅ ଦୂର ହୋଇ
ବିଦାରିତ ହୁଏ ଅନ୍ତର ତାହାର
କଷ୍ଟ ନ'ପାରେ ସେ ସହି।
ହସେ ନିଶାମଣି ବିତୁଛି ଯାମିନୀ
ବିରହ ଗାଢ଼ ହେଉଛି
ଧମନୀରୁ ରକ୍ତ ହୃଦରୁ ସ୍ପନ୍ଦନ
ନ୍ୟୁନ ମୁହାଁ ଯେ ଯାଉଛି।
ଆତ୍ମା ଠାରୁ ତୁମେ ଅଟ ତା' ଆତ୍ମୀୟ
ଛାଇ ଠୁଁ ନିଜର ତୁମେ
ଅନ୍ଧାରି ଇଲାକା ହୋଇଲା (ତା)ଜୀବନ
ପୀରତି ଆଲୋକ ଭ୍ରମେ।
ସୂର୍ଯ୍ୟେନ୍ଦୁସଙ୍ଗମ ହୋଇଲେ ଯେସନ
କହ୍ଲାର ଭାଳେ ପୂର୍ଣ୍ଣିମା
ସେଇମିତି ସାଥୀ (ସେ)ଭାବୁଛି ତୁମକୁ
ପ୍ରତୀକ୍ଷାର ନାହିଁ ସୀମା।
ଭାବନାରେ ଆସ ଅବା ସପନରେ
ପଣ ଖାଇ କୁହ ଥରେ
ବିରହବିଧୁରୀ ପ୍ରିୟାକୁ ତୁମର
ରଖିନ ତୁମ ଅନ୍ତରେ।

