ବିପନ୍ନ ସରଣୀ
ବିପନ୍ନ ସରଣୀ
କାଗଜ କଲମ ଚାଷ ଛାଡ଼ି ଏବେ ଵିଲ ଚାଷେ ମନ ଦେଇଛି
ସତୁରି ବର୍ଷରେ ଟ୍ରାକ୍ଟର ପଛରେ କଲବଲ ହୋଇ ଧାଇଁଛି ।
ନାଆଁକୁ ଟ୍ରାକ୍ଟର ଖାଲି ବିଦାଗାର ଘାସକୁ ଘୋଡ଼ାଇ ଦେଉଛି
କଲମୀ ହେଉଛି ବଳ ପ୍ରକାଶୁଛି ଷୋଳକଳା ଧରି ହସୁଛି ।
ଚାରି ଓଡ଼ ଚାଷ ହୋଇ ସାରିଲାଣି ମୂଳ ଘାସ କଲି ମେଲୁଛି
ଚକି ଉଠୁନାହିଁ ଘାସ ମରୁନାହିଁ ଦେଖିଦେଲେ ଦେହ ସଲୁଛି ।
ଘଣ୍ଟାଏ ଚଷିଲେ ଆଠଶହ ଟଙ୍କା ଦେବାରେ ହାଡ଼କୁ ବାଧୁଛି
ପନ୍ଦର ହଜାର ସରିଲାଣି ପୁଣି ପନ୍ଦର ସରିବ ଭାବୁଛି ।
କଣ ହାଣିବାକୁ ହିଡ଼ ବାନ୍ଧିବାକୁ ଲୋକ ଯଦି ଖୋଜାପଡୁଛି
ତିନି ଘଣ୍ଟା ପାଇଁ ତିନିଶତ ଟଙ୍କା ତଥାପି ଅମଙ୍ଗ ହେଉଛି ।
ଉଠି ବସି ଏବେ ମୁଲିଆ ଅଭାବେ ବାଧ୍ୟରେ କୋଦାଳ ଧରୁଛି
ମନେ ଅଛି ବଳ ଶରୀର ଦୁର୍ବଳ ଅଣ୍ଟା ପିଠି ବ୍ୟଥା ହେଉଛି ।
ସାହିତ୍ୟ ସାଧନା ସମାଜ ସେବାରୁ ନିଜକୁ ଦୂରେଇ ଦେଉଛି
ଅମୃତ ସରଣୀ ଛାଡ଼ି ଜଞ୍ଜାଳର ଵିଷ ପଙ୍କେ ପଡ଼ି ମରୁଛି ।
ଜ୍ଞାନୀ ଗୁଣୀଙ୍କର କାବ୍ୟ କବିତାର ପଠନୁ ବଞ୍ଚିତ ହେଉଛି
ଅକ୍ଷୟ ଧନକୁ ପାଦରେ ଆଡ଼େଇ ଲୋଭ ସ୍ୱାର୍ଥ ପଛେ ଧାଉଁଛି ।
ଟଙ୍କିକା ଚାଉଳ ପାଞ୍ଚ ଟଙ୍କି ଥାଳ ଚାଷକୁ ବୁଡ଼ାଇ ଦେଉଛି
ମୁଲିଆ ଶବଦ ଲଙ୍କା କଟକରେ ହରି ଶବ୍ଦ ବୋଧ ହେଉଛି ।
ଚଷା ପିଲା ହୋଇ ଜମିକୁ ପଡ଼ିଆ ପକାଇବା ଶ୍ରେୟ ନୋହୁଛି
କ୍ଷତି ସହି ସହି ଶ୍ରମ ଦେଇ ଦେଇ ସବୁତ ବେକାର ହେଉଛି ।
ପ୍ରିୟ ସରକାର ମାଗଣାରେ ସବୁ ରାସନ ଯୋଗାଇ ଦେଉଛି
ମାଆର ପେଟରୁ ମଶାଣି ପର୍ଯ୍ୟନ୍ତ ସକଳ ବ୍ୟବସ୍ଥା ଖଂଜୁଛି ।
ଲାଗି ଖାଇବାଠୁ ମାଗି ଖାଇବାକୁ ଲୋକଙ୍କ ପସନ୍ଦ ହେଉଛି
ଉଚ୍ଚ ତରିଗଲେ ନୀଚେ ସୁଖ କଲେ ମଧ୍ୟବିତ୍ତ ଖାଲି ମରୁଛି ।
ବାଇକ ସହିତ ସ୍ମାର୍ଟ ଫୋନ ଆଜି ଘରେ ଘରେ ମନ ମୋହୁଛି
ପ୍ରଧାନ ମନ୍ତ୍ରୀଙ୍କ ଆବାସ ଯୋଜନା କୋଠାଘର ମିଳି ଯାଉଛି ।
ଚାଷ କାମେ ମାଟି କାଦୁଆ ହେବାକୁ କାହାର ତ ଇଚ୍ଛା ନୋହୁଛି
ଦାଦନ ଖଟିବା ବିଦେଶ କରିବା ମନୋବୃତ୍ତି ଦେହ ସହୁଛି ।
ପଚାଶ ହଜାର ଖରଚ କରିକି ଦଶ ହଜାର ମୁଁ ପାଉଛି
କିନ୍ତୁ ଭିଟା ମାଟି ଛାଡ଼ିବି ନାହିଁ ମୁଁ ମମତାର ମୁଲ ଶୁଝୁଛି ।
ଭଙ୍ଗା ଘରେ ମୋର ମାଟି ଲେସା ଚାଲେ ଛପରତ ଉଡ଼ି ଯାଇଛି
ପଡ଼ି କାର୍ଡ ନାହିଁ ଶ୍ରମ କାର୍ଡ ନାହିଁ ଶୂନ୍ୟେ ଜଳ ଜଳ ଚାହିଁଛି ।
ମାଟି ମାଆର ମୁଁ ଶ୍ରେଷ୍ଠ ସନ୍ତାନ ବିପନ୍ନ ସରଣୀ ଧରିଛି
ଜଗତ ମୁଖରେ ଅନ୍ନ ମୁଠି ଦେଇ ତ୍ୟାଗର ମହତ୍ୱ ବୁଝିଛି ।
ଦୀପ ଶିଖା ପରି ନିଜେ ଜଳି ଜଳି ଆନକୁ ଆଲୋକ ଦେଉଛି
ଆଖିର ଲୁହକୁ ଓଠେ ପିଇ ଦେଇ ଝଡ଼ର ଇଗଲ ହେଉଛି ।