ବିପ୍ଳବୀ ବୀର ସୁରେନ୍ଦ୍ର ସାଏ
ବିପ୍ଳବୀ ବୀର ସୁରେନ୍ଦ୍ର ସାଏ
ଓଡ଼ିଶା ମାଟିର ବୀର ସୁପୁତ୍ର ହେ
ସୁରେନ୍ଦ୍ର ନାମରେ ଖ୍ୟାତ
ଏ ମାଟିର ଗର୍ବ ଜାତିର ଗୌରବ
କୀର୍ତ୍ତି ତୁମ ପରିବ୍ୟାପ୍ତ l
ସମ୍ବଲପୁରର ଖିଣ୍ଡା ଗ୍ରାମେ ଜନ୍ମ
ପିତା ତୁମ ଧର୍ମସିଂହ
ସାତ ଭାଇ ମଧ୍ୟେ ତୁମେ ଜ୍ୟେଷ୍ଠ ପୁତ୍ର
ଶତ୍ରୁକୁ ନଥିଲା ଭୟ l
ସାରା ଓଡ଼ିଶାରେ ଫିରିଙ୍ଗି ଶାସନ
ଭୟରେ ଥରିଲେ ଲୋକେ
ସମ୍ବଲପୁରରେ ପଶିପାରିଲେନି
ବୀର ସୁରେନ୍ଦ୍ରଙ୍କ ଡାକେ l
ବିପ୍ଳବର ବୀଜ ବୁଣି ଦେଇଥିଲ
ଛତ୍ରେ ଛତ୍ରେ ଆହ୍ୱାନରେ
କି ମନ୍ତ୍ର ଥିଲାକି ଭାଇ ବନ୍ଧୁ ସବୁ
ମେଳି କଲେ ସଦର୍ପରେ l
'ବାର ପାହାଡ଼ର' 'ବାରଗୁମ୍ଫା'ଠାରେ
ରହିଲ ସେନାଙ୍କ ସହ
ଜାଣିଲେ ଇଂରେଜ କଲେ ପ୍ରତିବାଦ
ଲଢ଼େଇରେ ଭୟାବହ l
ଦେଶଭକ୍ତ ସେଠି ବଳଭଦ୍ର ଦାଓ
ଦେଶ ପାଇଁ ଦେଲେ ପ୍ରାଣ
ହତ୍ୟାକରି ତାଙ୍କୁ ଫିରିଙ୍ଗି ସୈନିକ
ଦେଖାଇଲେ ବହୁ ଟାଣ l
ରାଗିଲେ ଭୀଷଣ ସୁରେନ୍ଦ୍ର ସାଏଙ୍କ
ବିରାଟ ବିଦ୍ରୋହୀ ସେନା
ବ୍ରିଟିଶ ଶାସକ କଳିନେଲେ ବଳ
ବିଦ୍ରୋହ କରିବା ମନା l
ମୁହାଁମୁହିଁ ହେଲେ ଫିରିଙ୍ଗି ସହିତ
ସୁରେନ୍ଦ୍ରଙ୍କ ଅନୁଗାମୀ
ଅନେକ ବରଷ ଲଢ଼େଇ ଚାଲିଲା
ଯୁଦ୍ଧରେ କମ୍ପିଲା ଭୂମି l
ସମ୍ବଲପୁରର ପ୍ରତି ଗ୍ରାମେ ଗ୍ରାମେ
ଶତ୍ରୁକଲେ ଜଳାପୋଡ଼ା
ଘଞ୍ଚ ଅରଣ୍ୟରେ ''ଦେବ୍ରୀଗଡ଼ 'ଦୁର୍ଗେ
କଲ ତୁମେ ମହା ଅଡ୍ଡା l
ଫିରିଙ୍ଗି ସହିତ ଲଢ଼େଇ କରିକି
ଯୁଦ୍ଧବନ୍ଦୀ ହୋଇ ଥିଲ
ଛତିଶି ବରଷ ଲଢ଼ି ଲଢ଼ି ତୁମେ
ଦୁଃଖରେ ମୃତ୍ୟୁ ବରିଲ l
ମାତୃଭୂମିର ସ୍ୱରାଜ ପାଇଁକି
ସହିଥିଲ ବହୁ କଷ୍ଟ
ଅଠରଶ ଚଉରାଅଶୀ ମାର୍ଚ୍ଚ ଅଠେଇଶି
ଛାଡ଼ିଲ ଶେଷ ନିଃଶ୍ୱାସ l
ମାଟିର ମଣିଷ ମାଟିରେ ମିଶିଲ
କରିଲ ଜୀବନ ଧନ୍ୟ
ଦେଶ ମାତୃକାର ସ୍ୱାଧୀନତା ପାଇଁ
ବିସର୍ଜିଲ ନିଜ ପ୍ରାଣ l
ଆଜି ପୁଣ୍ୟ ତିଥି ବାଢୁଛି ଏ ଜାତି
ତବ ପଦେ ଶ୍ରଦ୍ଧାଞ୍ଜଳି
ତୁମ ବୀରତ୍ୱର ବୈଭବ ବୈଶିଷ୍ଟ୍ୟ
କିଏ ବା ପାରିବ କଳି l
