ବିନ୍ଦୁ
ବିନ୍ଦୁ


ବିନ୍ଦୁଟି ମୁଁ !
ଦୈର୍ଘ୍ଯ ପ୍ରସ୍ଥ ଉଚ୍ଚତା ବିହୀନ ।
ତଥାପି ସ୍ୱତନ୍ତ୍ର ମୁଁ ଯେ,
ବଳିଷ୍ଠ ମୋ ଆତ୍ମ ଅଭିମାନ ।
ମୋ ଠାରୁ ତ ସୃଷ୍ଟିହୁଏ
ଅସୁମାରୀ ଅଗଣିତ ରେଖା ,
ବ୍ୟାପିଯାଏ ଅନନ୍ତ ଯୋଜନ ।
କେବେ ମତେ ମଧ୍ୟ ବିନ୍ଦୁ କରି ,
ଅଙ୍କା ଯାଏ ଅଗଣିତ ବୃତ୍ତର ଆକାର;
ଭିନ୍ନ ଭିନ୍ନ ପରିଧିର ପରିସୀମା ନେଇ।
ହଁ!
ମୁଁ ହେଉଛି ଅନନ୍ତ , ମୁଁ ବି ଅନିଶ୍ଚିତ;
ନିଶ୍ଚିତର ଅଂତ ଥାଏ ସିନା ;
ଅନିଶ୍ଚିତ ଚିର ଅନ୍ତହୀନ।
ସଚରାଚର ଏ ସୃଷ୍ଟିରେ ,
ମୋର ସ୍ଥିତି ସଦା ବିଦ୍ୟମାନ ।
ଶ୍ରେଷ୍ଠ ପ୍ରାଣୀ !
ଦେଖ ମୁଁ ଝଲସୁଅଛି ଭୁକୃଟି ମଧ୍ୟରେ,
ଜ୍ୟୋତିର୍ବିନ୍ଦୁ ନାମେ ଦିବ୍ୟ ଆଲୋକଟି ହୋଇ।
ମୋର ସତ୍ତା ଉପଲବ୍ଧି ପାଇଁ ,
ଭାଙ୍ଗିଦିଅ ପରିଧିର ମିଥ୍ୟା ଆବରଣ ।
ଖୋଲିଦିଅ !
କାମନା ଓ ବାସନାର ସବୁ ବେହରଣ।
ସତ୍ୟ ଆଉ ସାଧନାର ବାସେ,
ଧୀରେ ଧୀରେ ଢାଙ୍କିଦିଅ ସମସ୍ତ ଶରୀର।
'ମୁଁ' ହେଉ 'ତୁମ' ମୟ !
ଆପଣାର ସତ୍ତାକୁ ହଜାଇ,
ଦିବ୍ୟ ସତ୍ତା ଅନୁଭବ ନେଇ।
ଆସିବ ସେ ସ୍ୱତନ୍ତ୍ର ସମୟ ;
ଦେଖାଦେବ ଅଦିନର ଝଡ,
ବହିଯିବ ଅଣଚାଶ ବାୟୁ ,
ଭାଙ୍ଗିଯିବ ପୁଣି ଦେହବନ୍ଧ ।
ପ୍ରାଣବିନ୍ଦୁ ଲୀନ ହୋଇଯିବ-
ଅନନ୍ତ, ନିର୍ବିକାର ସେ 'ଜ୍ୟୋତିର୍ବିନ୍ଦୁ' ସହ ।
ସେ ହିଁ ସେ ବିସ୍ମୟ ଅନନ୍ତ !
ସର୍ବବ୍ୟାପି, ଚଳମାନ, ରହସ୍ୟମୟ ବିନ୍ଦୁ।
ଅସୀମ ପରିଧି ଯାର ବ୍ୟାପି ଅଛି-
ତ୍ରିଭୁବନେ, ପରମାତ୍ମା ନାମେ,
ଚିରସତ୍ୟ ବହ୍ମରୂପୀ ହୋଇ ।