ବିଲୁପ୍ତିର ଦ୍ବାରଦେଶେ
ବିଲୁପ୍ତିର ଦ୍ବାରଦେଶେ
ହେ ବଡପଣ୍ଡାଏଁ!
ତୁମେମାନେ ତ ଧର୍ମର ଠିକାଦାର
ମହାମାନ୍ଯ ମାମଲତକାର
କେବେ ଭାବିଛ କି ଥରେ
କାହିଁକି ସ୍ବଧର୍ମ ଆଜି ସଙ୍କଟରେ
କାହିଁକି ଭାଇ ତୁମ୍ଭର ହେଉଛି ଧର୍ମାନ୍ତରିତ
ଭୁଲି ଚଉଦ ପୁରୁଷର ଜାତି ଇତିହାସ
ବରି ନେଉଛି ଭିନ୍ନ ଧର୍ମଧାରା ଭିନ୍ନ ବିଶ୍ବାସ??
ରୁଢ଼ିବାଦୀ ଜାତି ପ୍ରଥାର ଆଳରେ
ଉଚ୍ଚନୀଚର ପ୍ରାଚୀର ଠିଆ କରାଇ
ବାଣ୍ଟିଦେଇଛ ସମାଜକୁ ତୁମର ହୀନ ସ୍ବାର୍ଥ ପାଇଁ
ଚିରଦିନ ପଦାନତ କରି ରଖିବା ପାଇଁ
ତୁମ ଜମିରେ ତୁମ ଘରେ ତୁମ ସେବାରେ
ପୁରୁଷାନୁକ୍ରମେ ବେଠି ଖଟିବା ପାଇଁ
ଧନ୍ୟ ଧନ୍ୟ ତୁମ ଉଚ୍ଚ ଚିନ୍ତାଧାରା
ଧନ୍ୟ ତୁମ ସଂଭ୍ରାନ୍ତପଣ ଆଭିଜାତ୍ୟ
ଧନ୍ୟ ତୁମ ବଡପଣ ଧନ୍ଯ ତୁମ ଜୀବନ!!
ମେଳା ମଉଛବ ଅବା ବାହାଘର ଭୋଜିରେ
ତୁମେ ଖାଇ ବସିବ ଖନ୍ଦାଶାଳରେ ବାରଣ୍ଡାରେ
ଆଉ କାହା ସହିତ ମିଶିକି ବସିଲେ
ମାନସମ୍ମାନ କାଳେ ପଡିଯିବ ତଳେ
ତୁମେ ହିଁ ତ କୂଳୀନ ସଭ୍ୟ ସମୃଦ୍ଧ ସଂଭ୍ରାନ୍ତ
ବାକି ସବୁ ଯେତେକ ମ୍ଳେଛ ଅସଭ୍ୟ ଅନାର୍ଯ୍ୟ
ସେମାନେ ଖାଇ ବସିବେ ତୁମ ଠୁଁ ଢେର୍
ଦୂରରେ ବନ୍ଧରେ ଖତଗଦାର ଧାରରେ!!
ସଭିଏଁ ସମାନ କହି ବି ତ ରଚିଛ
ଭେଦଭାବର ଅଲ୍ଲଂଘନୀୟ ଦୂରତ୍ବ
ଗଢିଛ ଛୁଆଁଛୁତିର ମେଘନାଦ ପାଚେରୀ
କୁହ କି ଭୁଲ୍ ଅବା ନିର୍ଯ୍ୟାତିତ ପଦଦଳିତର
ସମାନତା ପାଇଁ ଆପଣାର ସ୍ବାଭିମାନ ପାଇଁ
ଯଦି ଭାଇ ତୁମ ସାଜିଲା ଭଗାରୀ
ସ୍ବଧର୍ମ ତ୍ଯଜି ଆନ ଧର୍ମକୁ ନେଉଛି ଆଦରି??
ତୁମ ମରହଟ୍ଟିଆ ଆଇନ୍ ଶାସନ ଶୃଙ୍ଖଳା
ତୁମ ଧନ ଦୌଲତ ସମ୍ପଦ ଜମିଦାରୀ
ସେତିକି ଦିନ ଯାଏଁ ଥିବ ସୁରକ୍ଷିତ
ଯେବେ ଯାଏଁ ଥିବ ତୁମେ ସଂଖ୍ୟାଗରିଷ୍ଠ
ଭାଇକୁ ଆପଣାଠୁ ଦୂରେଇ ଦୂରେଇ
ହରେଇବାକୁ ପଡି ପାରେ ତୁମ ପରିଚୟ
ଥରେ ସଂଖ୍ୟାଲଘୁର ମୋହର ବସିଲେ
ତୁମ ପ୍ରତିପତ୍ତି ଆଭିଜାତ୍ୟର ଘୋଟିବ ବିଲୟ!!