ବିଚ୍ଛେଦ
ବିଚ୍ଛେଦ
କାହାପାଇଁ ଦିନ ରାତି ଏକାକାର ଆଖିରେ ନପଡେ କଷା
କାହା ବିଚ୍ଛେଦ ରେ ବିଦିର୍ଣ୍ଣ ହୃଦୟ ମୁଖୁ ନସ୍ଫୁରଇ ଭାଷା ।
କାହା ବିହୁନେ ୟେ ମନର ସରାଗ ମଉଳି ଯାଇଛି ଆଜି
କାହର ବିଚ୍ଛେଦେ ଲାଗୁଛି ଅମୂଲ୍ୟ ସମ୍ପଦ କି ଗଲା ହଜି ।
ଦରଦି ବୁଝଇ ଦରଦି ମନରେ ଜଳୁଥାଏ କେତେ ନିଆଁ
ଏକା ଏକା ବସି ନିରୋଳା ବେଳାରେ ଏତେ ଲୁହଝରେ କିଆଁ ।
ନିଶ୍ଚଳ ଶରୀର ନିସ୍ତେଜ ମାନସ ଦରଦର ଦିଶେ ଆଖି
କାହା ବିହୁନେ ୟେ ଜୀବନ ନିଥର କାହାପାଇଁ ନିରିମାଖି ।
ଆଖି ଥାଉ ଥାଉ ଅନ୍ଧ ସମ ଲାଗେ ଦିବସ ଦିଶେ ଅନ୍ଧାର
ଜହ୍ନ ଜୋଛନାରେ ମିଶାଇ ଦେଇଛି ସତେକି କିଏ ଜହର ।
ଅଦିନେ ଅକାଳେ କାହିଁ ଲୁଚିଗଲା ତା ବିହୁନେ ଏ ଜୀବନ
ଅସ୍ଥିର ଅଧିର ନିଥର ଶରୀର ପ୍ରାଣ ଥାଇ ନାହିଁ ପ୍ରାଣ ।
ତା ବିଚ୍ଛେଦରେ ୟେ ଜୀବନ ନିସ୍ତେଜ ମାନେ ନାହିଁ ବଞ୍ଚିବାଟା
ଦୁଃଖ ଯାତନା ରେ ସଢ଼ି ବଞ୍ଚିବା କି କପୋଳେ ଲିହିଛି ଧାତା ।
