ବିଲେଇ ବେକରେ ଘଣ୍ଟି
ବିଲେଇ ବେକରେ ଘଣ୍ଟି
ଅସମ୍ଭବ କାର୍ଯ୍ୟେ କେବେ ଦେବ ନାହିଁ ମନ
ମୂଷାଙ୍କ ବିଚାର ପ୍ରାୟ ଆକାଶ କୁସୁମ ।
ବିଲେଇ ଆତଙ୍କ ଘେନି ହୋଇଣ କାତର
ମୂଷାଙ୍କ ଭାଳେଣି ବଢି ହେଲା ତୀବ୍ରତର ।
କେସନ ଉପାୟେ ତା'ର ଦାଉରୁ ବର୍ତ୍ତିବା
କେଉଁ ପରି ଆମ୍ଭେ ତାକୁ ଫାନ୍ଦେ ପକାଇବା ।
ପ୍ରମାଦ ଗଣିଲେ ବୁଦ୍ଧିମାନ ମୂଷା ମାନେ
ସଭା କରି ଉପାୟ ବାହାର କଲେ ଦିନେ ।
ନାନା ମୂଷା ମିଶି ନାନା ପ୍ରସ୍ତାବ ବାଢିଲେ
ବିଲେଇକୁ କେଉଁ ପରି ମାରିବା ଭାଳିଲେ ।
କେ ବୋଲେ ମଉସା କେହୁ ବୋଲଇ ଲୋ ନନା
ତୋହରି ବୁଦ୍ଧିରେ ତ୍ରାହି ପାଇବା ଟି ସିନା ।
ନିଆଁଗିଳା ବିଲେଇକୁ ଆମେ ମାରି ଦେବା
ନାନା ମତେ ବୁଦ୍ଧି କରି ଉପାୟ କାଢିବା ।
ମୂଷିକ ସଭିଏଁ କଲେ ତହିଁ ଆଲୋଚନା
ସବୁଠାରେ ସମସ୍ୟା ଯେ ଭରିଥିଲା ନାନା ।
ନିର୍ଭୁଲ୍ ସିଦ୍ଧାନ୍ତ କେହି ନ ପାରିଲେ କାଢି
ଯୁକ୍ତି ଓ ନିଷ୍ପତ୍ତି ସବୁ ଯାଉଥିଲା ଭାଙ୍ଗି ।
ତର୍କ ବିତର୍କରେ କମ୍ପୁଥିଲା ସଭାସ୍ଥଳ
କି ଉପାୟେ ବିଲେଇର ପୂରାଇବା କାଳ ।
ଝାଳ ନାଳ ହୋଇ ମୂଷାମାନେ ଥିଲେ ଲାଗି
କେ ବୋଇଲା , ବେକେ ତା'ର ବସାଇବା ଫାଶୀ ।
ନିଆଁ ଜାଳି ମାରିଦେବା କେହି ବିଚାରିଲା
କେ ବୋଇଲା ତାକୁ ନେଇ ବଣେ ଛାଡିଦେବା ।
କେ ବୋଇଲା ଗାତ ଖୋଳି ପକାଇବା ପୋତି
କେ କହିଲା ବିଷ ଦେଇ ପକାଇବା ନାଶି ।
ଆନ କେ କହଇ ହାଣି ତାକୁ ଦେବା ମାରି
ଯନ୍ତା ଆଣି କେହି କହେ ନେବା ଆମେ ଧରି ।
କେ କହିଲା ଭୁଲାଇ କି ଖାଲେ ଦେ , ପକାଇ
କେ କହେ ଶୁଖୁଆରେ ହେ , ବିଷ ଦିଅ ନେଇ ।
ଖାଇ ଦେଇ ମରିଯିବ ନିଶ୍ଚେ ସେ ବିଲେଇ
ଅକାରଣେ ଏତେ କଥା ଚିନ୍ତା କାହିଁ ପାଇଁ ।
ପ୍ରସ୍ତାବ ରଖିଲେ ସିନା ପାଳି ତ ପାରିଲେ
ନିଶ୍ଚୟ ବିରାଡ଼ିଟିକୁ ନାଶି ଦେବା ଭଲେ ।
ପ୍ରସ୍ତାବ ଗୁଡିକ ବହୁମତ ନ ପାଇଲା
ଧୀରେ ଧୀରେ ସଭା ସ୍ଥଳେ କାଟ ଖାଇଗଲା ।
ସଭା ଶେଷ ବେଳେ ଜଣେ ପ୍ରସ୍ତାବ ବାଢିଲ।
ବିଲେଇ ବେକରେ ଘଣ୍ଟି ବାନ୍ଧି ଦେଲେ ହେଲା ।
ଏହି ମତ ଶୁଣି ସର୍ବେ ହେଲେ ଏକମତ
ତାଳି ମାରି ଜଣାଇଲେ ନିଜ ସମ୍ମତ ।
ତାଳି ଶଦ୍ଦ ଶୁଣି ତହିଁ ବିରାଡ଼ି ଆସିଲା
ପଳାଇବା ପାଇଁ ଆଉ ବାଟ ଯେ ନଥିଲା ।
ସବୁ ମୂଷା ହୋଇଗଲେ ବିରାଡ଼ି ଆହାର
ମୁହୂର୍ତ୍ତକେ ସଭାସ୍ଥଳ ହେଲା ଛାରଖାର ।