ବିକାଶ ବିନାଶ
ବିକାଶ ବିନାଶ
ମାଟି ମାଆ ଯେବେ
ସୃଷ୍ଟି କରିଥିଲା
ତା ଦେହେ ଜୀବନ ସତ୍ତା
ବଞ୍ଚିଵା ପାଇଁ କି
ଖଞ୍ଜିଦେଇଥିଲା
ଖାଦ୍ୟ ବାସ ନିରାପତ୍ତା ।
ବୃକ୍ଷ ଲତା ଦେହେ
ଜାତି ଜାତି ଫଳ
ଭୋଜନ ସାମଗ୍ରୀ ପାଇଁ
ମାଟି ଦେଲେ ତାଡି
ଅମୃତର ଧାରା
ତୃଷ୍ଣା ଯାଏ ଦୂର ହୋଇ ।
ମିଠା ମିଠା ତାର
ସୁଶୀତଳ ବାଆ
ଦେହରେ ପୁଲକ ଜାଗେ
ପକ୍ଷୀଙ୍କ କାକଳୀ
ମଧୁର ରାଗିଣୀ
ପ୍ରକୃତି ବିଭୋର ରାଗେ ।
ନାନା କୁସୁମରେ
ସୁଶୋଭିତ ଦିଶେ
ବାସନା ବିତରୀ ଯାଏ
ଅପରୂପ ଶୋଭା
ମାଧୁର୍ଯ୍ୟରେ ଭରା
ହୃଦୟ ବିଭୋର ହୁଏ ।
ପଶୁପକ୍ଷୀ କୀଟ
ପତଙ୍ଗ ପାଇଁ କି
ଖାଦ୍ୟ ଶୃଙ୍ଖଳ ତିଆରି
ବୁଝୁନି ମଣିଷ
ଅହଂକାର ପାଇଁ
ସାଜିଛି ନିଜ ବଇରୀ ।
ବିକାଶ ଆଳରେ
କରୁଛି ଛଳନା
ବିଜ୍ଞାନର ଦ୍ୱାହି ଦେଇ
ପ୍ରକୃତି ବିନାଶି
ଗଢ଼େ ଶିଳ୍ପାୟନ
ସ୍ୱାର୍ଥପର ଯାଏ ହୋଇ ।
ପ୍ରକୃତିର କ୍ରୋଧ
ସହିବାକୁ ହେବ
ନିୟମ ଯାଇଛି ଭୁଲି
ନିଜ ସ୍ୱାର୍ଥ ପାଇଁ
ଧ୍ବଂସକୁ ଡାକିଛି
ପ୍ରାଣ ଯାଇଛି ଦୋହଲି ।
ଦୁନିଆଟା ଖାଲି
ଆମ ପାଇଁ ନୁହେଁ
ପାଇନେ ଅମର ବର
ଆଖି ବୁଜିଦେଲେ
ସବୁ ହଜିଯିବ
ହୋଇଯିବ ସାତପର ।
ପଶୁପକ୍ଷୀ, ବୃକ୍ଷ
କୀଟ ସରୀସୃପ
ବନ୍ଧୁ ସଭିଏଁ ଆମରି
ପ୍ରତ୍ୟକ୍ଷ ଅଥବା
ପରୋକ୍ଷ ଭାବରେ
ଉପକାର ଥାନ୍ତି କରି ।
ହସୁଛି ପ୍ରକୃତି
ବିଦ୍ରୁପର ହସ
ମଣିଷ ପତନ ଦେଖି
ପାରିବନି ଆଉ
ବିଜ୍ଞାନ ପ୍ରୟୋଗେ
ମହା ବିନାଶକୁ ରୋକି ।
ଦୟା, କ୍ଷମା, ସ୍ନେହ
ଜୀବେ ଦୟା ଭାବ
ସଦା ମନେ ଥିବା ରଖି
ପ୍ରକୃତି ନିୟମ
ମାନିକି ଚଳିବା
ହେବାନି ଜୀବନେ ଦୁଃଖୀ ।