ବିଜ୍ଞାନୀ ମଣିଷ
ବିଜ୍ଞାନୀ ମଣିଷ
ବିଜ୍ଞାନୀ ଉଦ୍ଭିଦ ମାଟିକୁ ଜାବୋଡି
ମୂଳକୁ ରଖଇ ଦୃଢ଼
ଆହରେ ପାଦପ ସରସ ସୁଗୁଣ
ପରିବେଶ କରେ ଶୁଦ୍ଧ ।
ଦୂଷିତ କଳ୍ମଷ କରି ଗ୍ରାସନ୍ୟାସ
ବିକଶଇ ସବୁଜିମା
ପତ୍ର ଫଳ ପୁଷ୍ପେ ପ୍ରକଟଇ ଶୋଭା
ପ୍ରଦାନେ ଶୀତଳ ଛାୟା ।
ମହାନ ତପସ୍ୱୀ ଦେବ ମହୀରୁହ
ପ୍ରାଣର ପ୍ରମୁଖ ଉତ୍ସ
ସୃଷ୍ଟିର ମଙ୍ଗଳ କଲ୍ୟାଣ କାରଣେ
ନୀରବେ ସାଧନା ରତ ।
ଭ୍ରମଇ ମଣିଷ ପ୍ରହେଳିକା ପଛେ
ହଳାହଳ କରେ ପାନ
ବୋଲାଏ ନିଜକୁ ଅତି ଆଧୁନିକ
ବିଚକ୍ଷଣ ତାର ଜ୍ଞାନ ।
ପଦ୍ମ ଯାଏ ଘୂଞ୍ଚି ମାୟା ମରୀଚିକା
ମିଳେ ନାହିଁ ସୁଖଶାନ୍ତି
ଖୋଜଇ କସ୍ତୁରୀ ବିଜ୍ଞାନୀ ମଣିଷ
ମୃଗସମ ବାହ୍ୟେ ଭ୍ରମି ।
ସତ୍ୟ ଧର୍ମ ନ୍ୟାୟ ବିଶୁଦ୍ଧ ବିଜ୍ଞାନ
ମୂଳ ଶୂଚି ଅର୍ନ୍ତଦୃଷ୍ଟି
ଅଧ୍ୟାତ୍ମ ସତ୍କର୍ମେ ସାର୍ଥକ ଜୀବନ
ସନ୍ତୋଷେ ଈଶ୍ୱର ପ୍ରାପ୍ତି ।
