ବିଘ୍ନ ବିନାଶନ ପ୍ରଭୁ ଗଜାନନ
ବିଘ୍ନ ବିନାଶନ ପ୍ରଭୁ ଗଜାନନ
ପ୍ରଭୁ ଗଜାନନ ବିଘ୍ନ ବିନାଶନ
ଡାକୁଛି ଭକ୍ତିରେ ଶୁଣ ମୋ ବଚନ
ଅତି ବୁଦ୍ଧି ବନ୍ତ ପାର୍ବତୀ ନନ୍ଦନ
ଦେବଙ୍କ ପୂଜନେ ଆଗେହେ ପୂଜନ ।
ଜ୍ଞାନେଭୂଷିତରେ ପ୍ରଭୁ ଗଜାନନ
ଜ୍ଞାନ ବୁଦ୍ଧି ଦିଅ କରୁଛି ପ୍ରଣାମ
ଭାଦ୍ରବ ମାସର ଶୁକ୍ଳପକ୍ଷେ ତୋର
ଗଣେଶ ଚତୁର୍ଥୀ ଉତ୍ସବ ଦେବର ।
ପ୍ରତିମା ସ୍ଥାପନା କରନ୍ତି ବାଳକେ
ମଣ୍ଡପ ସଜ୍ଜିତ କରନ୍ତି ଆଲୋକେ
ସ୍କୁଲ ଓ କଲେଜ ଦିଶେ ଅନୁପମା
ଅତି ହିଁ ସୁନ୍ଦର ଦିଶେ ତୋ ପ୍ରତିମା ।
ଗାଆଁ ଓ ସହର ପୂଜନେ ସକଳ
ମୃଦଙ୍ଗ କାହାଳୀ କରେ କଳାହୋଳ
ଗଣେଶ ଗଣେଶ ଶୁଭେ ଗୁଞ୍ଜନ
ହୁଏ ଭକ୍ତିମୟ ଭାରତ ଭୁବନ ।
ନୈବେଦ୍ୟ ହସ୍ତରେ ଧରିଣ ପ୍ରୀତିରେ
ହୋଇଥାନ୍ତି ଠିଆ ତୋହରି ଭକ୍ତିରେ
ଭଣ୍ଡାର ବିଦ୍ୟାର ତୁହି ଗଜାନନ
ଡାକନ୍ତି ବାଳକେ ଘେନହେ ଜଣାଣ ।
ନମଇଁ ହେ ପ୍ରଭୁ ଶୁଣ ଲମ୍ବୋଦର
ପାଶ ଓ ଅଙ୍କୁଶ ଯୋଡ଼ି ବେନି କର
କରୀ ଓ କପାଳେ ଶୋହେ ତୋର ଚିତା
ବିଦ୍ୟା ଓ ବୁଦ୍ଧିରେ ତୁହି ଜଗଜ୍ଜେତା ।
ତୋହରି ପ୍ରସାଦେ ସଦା ନିରନ୍ତର
ବିଘ୍ନବାଧା ସବୁ ହୋଇ ଯାଏ ଦୂର
ତୋହରି ପୟରେ ରହୁ ମତି ମୋର
କରୁ ଥିବି ଭକ୍ତି ଚରଣେ ଭକ୍ତିର।
ଏତିକି ଗୁହାରି ଶୁଣ ଗଜାନନ
ଗୁଞ୍ଜୁ ଥାଉ ହୃଦେ ତୋହରି ହିଁ ନାମ ।