ବିଧୁର ବୈଧବ୍ୟ କୋହ
ବିଧୁର ବୈଧବ୍ୟ କୋହ
ବିଧାତାଙ୍କୁ ଦ୍ଵାହି ଦେଇ ମନୁଷ୍ୟ ତାର
ସ୍ପୃହା ପୁରଣ କରି ଚାଲି ଥାଏ ।
ଦୁଇଟି ନିରୀହ ଆଖିର ପରିଭାଷା
ପଢ଼ିବା କ୍ଷମତା କ'ଣ କାହାର ଅଛି ।
ପତିହୀନା ରମଣୀ ପର କଟା ଚଢ଼େଇ,
କେମିତି ନିରୁପାୟ ହୋଇ ବଞ୍ଚେ
କେବଳ ସେ ହିଁ ଜାଣେ :
ଯାହା ହେଉ ....
ଟୋପାଏ ସିନ୍ଦୂର ମଥାରେ ଝଟକୁ ଥିଲେ
ସହଜରେ କାହାର ସାହାସ ହୁଏନା
ଅରଣା ଜୀବ ପରି ଦୁଆରକୁ ଉଠିବାକୁ ।
ଅଙ୍ଗରକ୍ଷୀ ଯଦି ଦୁର୍ବଳ ହୁଏ, ଛଳନାର ହାତ
ଲମ୍ବି ଆସେ ....
ଏହା ତ ବିଧବା ହେବାର ପରିସ୍ଥିତି ଠାରୁ
ଭୟଙ୍କର ହୁଏ । ଏଠାରେ କେହି ଦେଖନ୍ତିନି
ପୁଆତି କି ଶୁନ୍ୟ ଗର୍ଭା , ଯେମିତି କାହିଁ କେତେ
କାଳରୁ ସାହୁକାର କରଜ ଅସୁଲ କରିବାକୁ
ହାତ ବଢାଇଛି । ନିର୍ଲଜ ମୁହଁରୁ ପରିହାସ ସୁଅ
ପରିଶ୍ଲେଷକୁ ହାତ ବଢୁଛି ।
ବିଧବା ହେଲେ ତ ସୁବର୍ଣ୍ଣ ସୁଯୋଗ,
ମନ କାମନା ପୂର୍ଣ୍ଣ ହେବା ଯାଏ, ଯେମିତି କି
ଗୁଡ ହାଣ୍ଡି ଶେଷ ହେବା ଯାଏ ପିମ୍ପୁଡ଼ି ସୁଅ ।
ପାହାଁନ୍ତିଆ ଧୂମାଳିଆ ବେଳ , ସାଙ୍ଗକୁ ଅନ୍ଧାର
କଣା ବ୍ୟାଧି । ସେ କି ବୁଝିବ ବାଟ ଅବାଟ କ'ଣ ।
ସେ ବେଳେ ଶୁଭ୍ର ଆସ୍ତରଣ ଶିତୁଆ ଦେହକୁ
ତାପ ଇନ୍ଧନ ସଂଯୋଗେ ।
ବିଧବା ସଧବାର ବିଚାର କୋଉଁଠୁ ଆସୁଛି ।
ସ୍ବାମୀ ବିନା ଜଳି ଜଳି କେମିତି ଜୀବନ ବଞ୍ଚେ
ଘନ ନିଭୃତ କୋଣ ତାର ସାକ୍ଷୀ ଥାଏ ।
ମନ ହୃଦୟରେ ବାସରାତି ଆନ୍ଦୋଳିତ
କରୁ ଥାଏ । ସମାଜରେ
ଅନେକ ଭୂଲି ଯାଆନ୍ତି , ସଂପର୍କ
ପରିଚୟ .....
ଦିନେ, ପୁତ୍ର ବଧୂ ରୂପେ ବରଣ କରି ଘରକୁ
ଆଣି ଥିଲି କି ସେ ମୋର ମା ସମାନ ଭାଉଜ
ଅନ୍ନପୂର୍ଣ୍ଣା ପରି ନିତି ସ୍ନେହ ପରଷି ଦେଉ ଥିଲା ।
କିଛି ତ ମନରେ ନଥାଏ ।
ନଜରଟା କେବଳ ଅବଗୁଣ୍ଠନ ତଳକୁ ଯାଏ ।
ଆଖି କୋଣରୁ ଯେ ଲୁହ ଗୁଡାକ ଡବଡବ ହୋଇ
ଡେଇଁ ପଡୁଛନ୍ତି ସେଥି ପ୍ରତି କାହାର
ଭୃକ୍ଷେପ ନାହିଁ ।
ସେମାନଙ୍କ ପାଇଁ ଯେମିତି ବିଧବା ବେଶଟା
ପୋଷ୍ଟ ବକ୍ସ ପରି ।
ମନ ତାଙ୍କର ଖୋଜୁ ଥାଏ ,ପ୍ରେମ ପତ୍ରର
ଆଦାନ ପ୍ରଦାନ କରନ୍ତା କି ?
ଚିର ଦିନ ପାଇଁ ସାଥୀ ହେବାର କଥା
ଦେଇ
ଯିଏ ଆଣି ଥିଲେ ସିଏ ଗଲା ପରେ,
ଜଳ ବିନା ମୀନ ପରି ଜୀବନ
ଏଠି ତ ଖାଳୋଇ ଧରି ବସି ଥାନ୍ତି ।
ନିସ୍ତେଜ ପର୍ଯ୍ୟନ୍ତ ଖେଳେଇବାକୁ ଭଲ ପାଆନ୍ତି ।
ସତେ ଯେମିତି ସେ ବିଧବା ନୁହେଁ
ଗୋଟେ ଅଭିସମ୍ପାତର କ୍ଷେତ୍ର ।
ଓହରି ଗଲେ ବଦନାମ
ଜିତିଲେ ଶତୃର ଦାଉ ଦପ୍ତରୀ
ହାରି ଗଲେ ଖିନ୍ ଖରାପ ।
ଦେହ ସାରା ନେସି ହୋଇ ଯାଏ
ଉପହାସର ଉପହାର ।
ବିଧବା ନାରୀର ଇଛା ଅନିଛା କ'ଣ ,
ଇଛା ଉପରେ ବୈଧବ୍ୟ ଛାୟା ,
ସେ ଖୋଳପାରୁ ବାହାରିବା କ'ଣ
ଏତେ ସହଜ ହେବ ?
ପଦାକୁ ଗୋଡ଼ କାଢିଲେ ଲୋକଙ୍କ ଅସ୍ପୃଶ୍ୟ
ମନୋଭାବ ହୃଦୟକୁ ଦଳି ଚକଟି ଦିଏ ।
ଧର୍ମ କର୍ମରେ ଅମଙ୍ଗଳକାରୀ ବୋଲି
ବ୍ୟଥିତ କରି ପକାନ୍ତି ।
ବିସମ୍ବାଦୀ ମାନଙ୍କର ତ ଅଭାବ ନାହିଁ ।
ବିଷୟା ସୁଖକୁ ଜଳାଞ୍ଜଳି ଦେଇ ଯିଏ ସ୍ଥାଣୁ
ହୋଇ ବଞ୍ଚି ଥାଏ ,ତାର ମୂଲ୍ୟ କିଏ ଦେବ ?
ନାଲି ସିନ୍ଦୂର ଆଉ ଶଂଖା ନାଇ ଠାକୁରଙ୍କ
ପାଦ ତଳେ ମଥା ଠେକେଇ ଥିଲା ।
ମୋତେ ଅହିଅ ସୁଲକ୍ଷଣୀ କର ।
ଜୀବନର କଷଟି ପଥରରେ ଲେଖି ଚାଲି
ଥାଏ " ହେ ରାମ ତୁମେ ତ ସବୁ କିଛି କରି
ପାର , କୃଷ୍ଣା ଅହଲ୍ୟା ପରି ନାରୀ ତୁମ କୃପା
ରେଣୁ ପାଇ ଜଗତରେ ଆପଣା ଇଜ୍ଜତ ରଖି
ପାରିଲେ , ତାହାଲେ ମୋ ବେଳକୁ କାହିଁକି
ନୀରବ ରହିଛି ପ୍ରଭୁ ? ତୁମକୁ କିଏ ବାଧ୍ୟା
ଦେଉଛି ଭକ୍ତଙ୍କ ରକ୍ଷା କରିବାରେ ।
ତୁମର ବେନି ଭୁଜ ଅଧା ଗଢା ହୋଇ ପାରେ
ଶକ୍ତି ହୀନ ତ ନୁହେଁ ?
ତୁମର ଚରଣ କମଳ ଅଦୃଶ୍ୟ ପରି
ହୃଦୟର ଗତି ତ ନୁହେଁ ?
ତୁମେ ତ ମୋର ଆଶା ଭରସାର ଉର୍ଦ୍ଧ୍ବରେ
ରହିଛ, ତେଣୁ ମୋର ମନ ପ୍ରାଣ ତୁମକୁ
ସମର୍ପିତ କରି ବିଦାୟ ନେଲି ।
ମୁଁ ଯେ ଅସହାୟ ଦୁର୍ବଳା ମୋତେ ମାରିବା
ରଖିବା ତୁମ ହାତରେ ଅଛି ।
ଏତିକି ମିନତି ,ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ
ଇଜ୍ଜତର ସହିତ ବଞ୍ଚି ଥାଏ "।
ମୋ ଦେହର ଧଳା କି ରଙ୍ଗିନ୍ ପରିଧାନ
ସଧବା ବିଧବାର ଉପକଣ୍ଠ ନୁହେଁ ,
ସ୍ବାମୀଙ୍କ ପ୍ରକୃତ ଭଲ ପାଇବା ଉପଲବ୍ଧ
ନହେଲେ ,ତାହା ପାଲଟି ଯାଏ
" ବିଧୁର ବୈଧବ୍ୟ କୋହ" .....।