ବିଚ୍ଛେଦ ଯାତନା
ବିଚ୍ଛେଦ ଯାତନା
ଫଗୁଣ ଆସିଛି ଅଗଣାକୁ ମୋର
ବଉଳ ବାସନା ନେଇ
ମୃଦୁ ମଳୟରେ ଆମ୍ରକୁଞ୍ଜ ବନ
ବାସ ଦିଏ ଚହଟାଇ |
ଫଗୁଣ ତ ମୋତେ ଚାହୁଁ ନାହିଁ ଜମା
ମଳୟ ବି ଛୂଉଁନାହିଁ
ତୁମେ ନାହଁ ମୋର ପାଶେ ବୋଲି ପ୍ରିୟା
ଜମା ଭଲ ଲାଗୁନାହିଁ |
ଦିନ ଲାଗେ ମୋତେ ତପ୍ତ ମରୁବାଲି
ରାତି ଦିଏ କେତେ ଯାତନା
ଦିନ ସରିଯାଏ ରାତି ପାହିଯାଏ
ତୁମ ବିନା ଭଲ ଲାଗେନା |
କୋଇଲି କଣ୍ଠର ପଞ୍ଚମ ତାନ ବି
ମୋ ମନକୁ ଛୂଇଁ ପାରେନା
ଏକାକିତ୍ୱ ମୋତେ ଘାଇଲା କରିଛି
ଦେଉଅଛି କେତେ ଯାତନା |
ନବ ପଲ୍ଲବରେ ପଲ୍ଲବିତ ହୋଇ
ହସେ ବୃକ୍ଷ ଲତା ସକଳ
ତୁମ ବିରହରେ ହସି ମୁଁ ପାରୁନି
ହେଉଛି ଟହଳ ବିକଳ |
ଗୋଟିଏ ମୁହୂର୍ତ୍ତ ଯୁଗଟିଏ ପରି
ଲାଗେ ମୋତେ ତୁମ ବିରହରେ
ମନେ ମନେ ଏକା ବସି ଝୁରୁଅଛି
ତୁମ ସ୍ମୃତି ଫୁଲ ବଗିଚାରେ|
ତୁମ ମୁଖ ପଦ୍ମ ଢଳ ଢଳ କରେ
ମନ ଭାବନା ସରସୀରେ
ଯେତେ ମୁଁ ଆଗାଏ ଛୂଇଁବା ଆଶାରେ
ଘୂ୍ଞ୍ଚଇ ସେତେ ସେତେ ଦୂରେ |
ପାଇବା ଆଶାରେ ବିରହ ନିଶାରେ
ମୁଁ ତୁମକୁ ଖୋଜୁଥାଏ ଯେତେ
ଦେଖା ଦେଇ ପୁଣି ଲୁଚି ଯାଉଥାଅ
ସ୍ମୃତି ଉପବନରେ ସେତେ |
ରଙ୍ଗ ହୀନ ଲାଗେ ରଙ୍ଗୀନ ଅବିର
ଗନ୍ଧହୀନ ଲାଗଇ ଫୁଲ
ତୁମେ ପାଶେ ନାହଁ ବୋଲି ପ୍ରାଣେଶ୍ୱରୀ
ମଣି ମୁକ୍ତାର ନାହିଁ ମୂଲ |
ରହି ହେଉ ନାହିଁ ସହି ହେଉନାହିଁ
ତୁମ ବିରହ ଯାତନାରେ
ଇନ୍ଦ୍ରଧନୁ ମୋତେ ଦିଶେ ରଙ୍ଗହୀନ
ତୁମ ସ୍ମୃତିର ଆକାଶରେ |
ଜହ୍ନର କିରଣ ଲାଗେ ଫିକା ଫିକା
ଫିକାଫିକା ଲାଗେ ଜୋଛନା
ତୁମ ବିରହରେ ତାରା ଲୁଚିଯାଏ
ରାତି ଦେଇଚାଲେ ଯାତନା |
ଥାଅ ଯେତେ ଦୂରେ ଫେରିଆସ ପ୍ରିୟା
ମୋ ପାଶେ ତୁମେ ପୁଣିଥରେ
ଦୂର କରି ମୋର ବିରହ ବେଦନା
ଫେରାଅ ମୋ ଖୁସି ପୁଣି ଥରେ |