STORYMIRROR

Narayan chandra Senapati

Tragedy

3  

Narayan chandra Senapati

Tragedy

ବିଚାରୀ ମାଆଟା

ବିଚାରୀ ମାଆଟା

2 mins
1.0K


ମାଘ ମାସ ଶୀତ ବାଘପରି ଆସି

କରୁଥିଲା କେତେ ଦଙ୍ଗା,

ଥରି ଉଠୁଥିଲା ଦେହ,ହାତ ସବୁ

ଲାଗୁଥିଲା ହାଡ଼ଭଙ୍ଗା ।।(୧)

ଦ୍ଵିମାସ ଶିଶୁଟା କମ୍ପୁଥିଲା ଜ୍ୱରେ

ତା ଦେହ ଯାଉଥିଲା ଥରି,

ବିଚାରୀ ଅଭାବୀ ମାଆଟା ଆଖିରେ

ଅଶ୍ରୁ ଯାଉଥିଲା ଝରି ।।(୨)

ପାଖରେ ନ ଥିଲା ଫଟା କଉଡିଟେ

ଯିବାକୁ ଗାଡ଼ିରେ ବସି,

ଚାଲି ଚାଲି ଯାଏ ଚାରି କୋଶ ବାଟ

ଜଗନ୍ନାଥଙ୍କୁ ଭରସି ।।(୩)

ପାଉଣା ଅଭାବେ ସକାଳୁ ଆସି ସେ

ସଞ୍ଜ ଯାଏ ହୋଇ ଛିଡା,

ଶେଷରେ ପାଇଲା ଚିଠାଟିଏ ସିନା

ଖାଇଲା କେତେ ଯେ ହୁଡା ।।(୪)

ନ ଥିଲା ପଇସା କିଣିବ ଔଷଧ

ବୁଲି ବୁଲି ଭିକ ମାଗି,

ଟଙ୍କା କେଇଟାରେ କିଣିଲା ଔଷଧ

ପାଟିରେ ଖୁଆଏ ବେଗି ।।(୫)

ସନ୍ଧ୍ୟା ଆଗମିଲା କେମିତି ବା ଯିବ

ଜଙ୍ଗଲ ରାସ୍ତାରେ ପଶି,

ରାସ୍ତାକଡ଼ ଏକ ଦୋକାନ ପାଖର

ବାରଣ୍ଡାରେ ଗଲା ବସି ।।(୬)

ଥୁରୁଥୁରୁ ହୋଇ ଥରୁଥାଏ ସିଏ

ଛୁଆଟା ଥରୁଛି ବଳି,

ନ ଥିଲା କନ୍ଥା କି କମ୍ବଳ ଚଦର

କଣ କରିବ ସେ ଭାଳି ।।(୭)

ସାତ ସିଆଁ ଚିରା ପିନ୍ଧା ପଣତକୁ

ତା ଧନ ଉପରେ ଢାଙ୍କି,

ଶୋଇ ଯା ଧନ ମୋ ରାତି ପାହିଯାଉ

ଘରକୁ ଯିବା କାଲିକି ।।(୮)

ଛାତିରେ ଚାପିସେ ତା ଗଣ୍ଠିଧନକୁ

ହାତରେ ଦେଲା ଆଉଁସୀ,

ବୋଧ କରି କହେ କାନ୍ଦେନାରେ ଧନ

ଆସୁଛି ଉଷା ମାଉସୀ ।।(୯)

ଆଉଜା ଛାତିର ଅଟଳ ବିଶ୍ୱାସ

ଆଉଁସା ହାତ ଭରସା,

ମା କୋଳେ ଥିଲେ ତା ପ୍ରାଣ ଶିଶୁଟା

ଯମ ହୁଏ ଲୋକହସା ।।(୧୦)

ରାତି ପାହିଗଲେ ସୁରୁଜ ଦେବତା

ଆସିବେ କିରଣ ଧରି,

ସେ ରେଣୁ ପଡିଲେ ଲୁଚି ଚାଲିଯିବ

ଏ ଦୁଷ୍ଟ ଶୀତ ଲହରୀ ।।(୧୧)

ଆ'ରେ ସକାଳ ସଅଳ ସଅଳ

ଧନ ମୋ ପାଏ ଯନ୍ତ୍ରଣା,

ଘରକୁ ଯିବାକୁ ପାଶେ ନାହିଁ ଧନ

କେ ଦେବ ଏତେ ପାଉଣା ?(୧୨)

ଦୁଃଖ ଯେବେ ଆସେ ଭାଇ ବନ୍ଧୁ ଧରି

ବିପଦର ଘୋଡାଚଢି,

ଆ ଜଗା ମୋର ଢାଳିଦେ ସୁଖ ତୁ

ଭାଙ୍ଗି ଦୁଃଖର ଲହଡି।।(୧୩)

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy