STORYMIRROR

Kananbala Das

Romance

4  

Kananbala Das

Romance

ବିଭୋର ବସନ୍ତ

ବିଭୋର ବସନ୍ତ

1 min
323

କୋଇଲିର ତାନେ ଫୁଲର ସୁମନେ

 ବସନ୍ତ ଲାଜେଇ ହସେ 

ଚମ୍ପା ମଲ୍ଲୀ ହେନା ବଉଳ ସୁବାସେ

  ମହ ମହ ହୋଇ ବାସେ।।


ଫଗୁଣର ବିଭା ପଦ୍ମ ପାଖୁଡାର

  ହସନ୍ତ ଗୋଲାପି ଓଠେ

ନାଲିପଳାଶର ଅଧରେ ଲାଲିମା

  ଆହୁରି ଉକୁଟି ଉଠେ।।


କୃଷ୍ଣଚୂଡାରଙ୍ଗେ ମତୁଆଲା ହୋଇ

  ମଳୟ ଗାଉଛି ଗୀତ 

ସ୍ନିଗ୍ଧ ସମ୍ମୋହନ ମୃଦୁ ଶିହରଣେ

  ଧରାହୁଏ ପୁଲକିତ।।


ରୂପସୀ ଚନ୍ଦ୍ରମା ଢାଳଇ ଜୋଛନା 

  ଚିତ୍ତ କରି ଆହ୍ଲାଦିତ 

ସେ ଜହ୍ନର ତୃଷ୍ଣା କଦମ୍ବର ବାସ୍ନା

  ପ୍ରୀତି ଛନ୍ଦେ ସୁରଭିତ।।


ପାଦପେ ପାଦପେ ନବକିଶଳୟ

  ରମ୍ୟ ବନ ଉପବନ 

ସୁମନେ ସୁରଭି ମଧୂପ ଗୁଞ୍ଜନ

 ଫୁଲେ ଫୁଲେ ଶିହରଣ।।


ନବ ଉନ୍ମାଦନା କରେ ଆନମନା

  ମଳୟ ବହୁଛି ଧୀରେ  

ପ୍ରୀତି ମହ୍ଲାରରେ ବର୍ଣ୍ଣିଳ ସୁଷମା 

  ବିଭୋରିତ ଗୀତି ସୁରେ।।


ବନ ନିର୍ଝରିଣୀ ଗାଉଛି ରାଗିଣୀ

 ଇଶାରାରେ ଯାଏ କହି 

କୁଞ୍ଜ କାନନରେ ବସନ୍ତ ରାସରେ

  ମଳୟ ଯାଉଛି ଛୁଇଁ।।


ରୀତି ପରମ୍ପରା ଐତିହ୍ୟ ସଂସ୍କୃତି

  ଦୋଳ ପୂର୍ଣ୍ଣିମା ଉତ୍ସଵ 

ଦୋଳ ବିମାନରେ ବିଜେ କରିଥାନ୍ତି

  ଶ୍ରୀ ରାଧା ସହ ମାଧବ।।


ଶଙ୍ଖ ହୁଳହୁଳି ଉଛୁଳି ପଡଇ

 ଘଣ୍ଟ ଘଣ୍ଟା ମୃଦଙ୍ଗରେ 

ରଙ୍ଗ ଅବିରରେ ପ୍ରେମ ରଙ୍ଗ ଛିଟା

  ମଧୁମୟ ପାର୍ବଣରେ।।


ଫଗୁ ଫଗୁଣରେ ମନ ଇଲାକାରେ

  ବସନ୍ତର ମହାରାସ 

ପ୍ରେମ ପୁଲକରେ ଉନ୍ମାଦନା ଭରେ

  ଫଗୁଣର ପ୍ରୀତି ଫାଶ।।


ଫୁଲର ସୁଗନ୍ଧ ଫଗୁଣର ରଙ୍ଗ

 ସେ'ତ ବିଭୋର ବସନ୍ତ 

ନବଉନ୍ମେଷରେ ଛୁଇଁଯାଏଯେବେ

  ସ୍ୱପ୍ନର ଦୂର ଦିଗନ୍ତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance