ଭୁଲି ପାରୁନି ମୁଁ ତୁମର ସେଇ ଅସ୍ତରଙ୍ଗ ପ୍ରୀତି
ଭୁଲି ପାରୁନି ମୁଁ ତୁମର ସେଇ ଅସ୍ତରଙ୍ଗ ପ୍ରୀତି
ଜୀବନଟା ସଦା ଚଳଚଞ୍ଚଳ
ତୁମର ସ୍ନେହରେ, ପ୍ରୀତିରେ
ଆକଟରେ, ମଧୁରତାର ମଲମରେ
ଭଲ ପାଇବାର ମଖମଲି ଶେଯରେ ।
ବିଭୋର ମୁଁ
ତୁମରି ବାସ୍ନାରେ
ଆଲୁଳାୟିତ କେଶରାଜିରେ
କଥାକୁହା ଢଳଢଳ ଚାହାଁଣିରେ
ଲାଲିମା ଓଠଧାରର ଚେନାଏ ହସରେ
ମଧୁବୋଳା ଚୁପିଚୁପି କଥାରେ ।
ହୁଏ ଅଭିଭୂତ
ତୁମର କାର୍ଯ୍ୟଦକ୍ଷତାରେ
ଗାମ୍ଭୀର୍ଯ୍ୟ ଭରା ତେଜରେ
ବାକ୍ ପଟୁତାରେ
ଆନକୁ ବାନ୍ଧି ପାରୁଥିବା ନିଜରପଣିଆରେ
ଶତ୍ରୁ ମିତ୍ର ବାଛବିଚାର ନଥିବା
ହୃଦୟରୁ ନିର୍ଗତ ଉଜ୍ଜ୍ବଳ ଆଭାରେ ।
କେତେ ସୁନ୍ଦର ସତେ
ତୁମେ ମୋ ମାନସ ଚକ୍ଷୁରେ
ଯେଉଁଠି ଥିଲେ ବି
ତୁମେ ଆସ ମୋ ଦିବା ସ୍ବପ୍ନରେ
ଭିଜି ମୁଁ ତୁମରି ପ୍ରେମରେ
ଗାଉଥାଏ ଜୀବନ ସଙ୍ଗୀତ
ତୁମ ପାଶେ ସଦା ଥାଏ ମତି
ଭୁଲି ମୁଁ ପାରୁନି
ତୁମର ସେଇ ଅସ୍ତରଙ୍ଗ ପ୍ରୀତି ।

