ଭୁଲି ମୁଁ ପାରୁନି ଅସ୍ତରଙ୍ଗ ପ୍ରୀତି
ଭୁଲି ମୁଁ ପାରୁନି ଅସ୍ତରଙ୍ଗ ପ୍ରୀତି
ବିତେ ଋତୁମତୀ ଶୀତ ଓ ବସନ୍ତ
ବର୍ଷଣ ମୁଖର ଧାରା ଶ୍ରାବଣ
ହୁଏ ଅତିକ୍ରାନ୍ତ ଦିନ ମାସ ବର୍ଷ
ଢଳି ଢଳି ଯାଏ ଆୟୂ ତପନ ।
ଗରଜୁଛି ନିଶା ମେଘ ଓ ପବନ
ଉତ୍ତାଳେ ସାଗର ଆବେଗ ହୃଦ
ତଟିନୀ ଗୋ ତୁମ ଆଶ୍ଳେଷ ଉଚ୍ଛ୍ବାସେ
ଗୁଞ୍ଜେ କୁଳୁକୁଳୁ ଶବ୍ଦ ନିନାଦ ।
ନଇଁ ଆସେ ଯେତେ ଜୀବନ ଯୌବନ
ବିତି ସରେ ନାହିଁ ନିଝୁମ ରାତି
ଶତ ଚେଷ୍ଟା କଲେ ପାରେ ନାହିଁ ଭୁଲି
ସାଥୀ ଅସ୍ତରଙ୍ଗ ଭାବ ସେ ପ୍ରୀତି ।
ଅପରାହ୍ନ ଗତେ ଆସିବ ସାୟାହ୍ନ
ମଉଳିବ ଦିନ ହେବ ଅନ୍ଧାର
କରିବନି ଉଣା ପ୍ରିୟା ଅନୁରାଗ
ସ୍ନିଗ୍ଧ ସୁଶୀତଳ ପ୍ରେମ ନିର୍ଝର ।
ହେବ ଦେହ କ୍ଷୀର୍ଣ୍ଣ ମନ ଅବସନ୍ନ
ତୁମେ ତୋଫା ଜହ୍ନ ପୁଷ୍ପ ସୁମନ
ଭରି ଦେବ ପ୍ରାଣେ ଚାନ୍ଦିନୀ ଗୋ ବାସ
ମୂର୍ଚ୍ଛନା ମଧୁର ଓ ସମ୍ମୋହନ ।
ଢଳଢଳ ପ୍ରାଣ ମୋର ହୃଦପତ୍ର
ପ୍ରଫୁଲ୍ଲ କମଳ ସ୍ବପ୍ନେ ବିଭୋର
ଖୋଜିବ ଚନ୍ଦ୍ରମା ଦିଗନ୍ତେ ନିଶୀଥେ
ପ୍ରିୟା ତୁମ ଚାରୁ ମୁଖ ଉଜ୍ଜ୍ବଳ ।
ତାରକା ଖଚିତ ସୁନୀଳ ଆକାଶେ
ଅବଶ ଏ ଦେହ ତନ୍ଦ୍ରା ଆବେଶେ
ମୁଦି ଦେଇ ଆଖି ନ ଶୋଇବା ଯାଏ
ଖୋଜିବ ତୁମକୁ ନିୟତେ ପାଶେ ।।

