STORYMIRROR

Nibedita Mishra

Abstract Tragedy

3  

Nibedita Mishra

Abstract Tragedy

ଭୋକ

ଭୋକ

1 min
238


ମୁଁ ଓ ମୋର ଭୋକ

ଅତି ନିବିଡ ଆମ ସମ୍ପର୍କ

ଭୋକ ରୁ ଉତ୍ପତ୍ତି ମୁଁ?

ନା

ମୋ ଠୁ ଆର୍ବିଭୂତ ସେ?

ତାହା ଏକ ଅସମାହିତ ପ୍ରଶ୍ନବାଚୀ ନିଶ୍ଚିତ।

ଏଇ ଭୋକ ବଡ ଅଜବ

ଆକସ୍ମିକ ଭାବେ ଉଭା ହୁଏ,

କଳଙ୍କିତ କରିବାକୁ ତନୁ,ମନ ଓ ସ୍ବାଭିମାନ

ତଥାପି ମୁଁ ତା ସହିତ ସର୍ବଦା ବିଦ୍ଯମାନ।

ଏଇ ଭୋକ ପାଇଁ ତ

ନିଲାମ ହୁଏ ଲଜ୍ଯା,ବିକ୍ରି ହୁଏ ମାତୃତ୍ବ

ବଳିପଡେ ସମ୍ପର୍କ,ବେଠି ଖଟେ ବାର୍ଦ୍ଧ୍ଯକ୍ଯ

ଆତ୍ମହତ୍ଯା କରେ ଶୈଶବ,ଦାଦନ ସାଜେ ଯୌବନ

କେବେ କେବେ ବହିଯାଏ ରକ୍ତର ବନ୍ଯା।

ତେବେ ବି ଭୋକର ନିଆଁ ଲିଭେନା।

ଭୋକ ଅନେକ ପ୍ରକାରର

ଦୈହିକ ,ମାନସିକ ଓ ଆତ୍ମିକ

ସବୁ ଭୋକକୁ କିନ୍ତୁ ମିଳେନି

ତାର ଇପସ୍ପିତ ଖୋରାକ।

ହଁ,କିଛି ମେଣ୍ଟେ ଯଦିଓ ଆବଶ୍ଯକତା

ଓ ଆବେଗର ଚାଲୁଣିରେ ଛାଣି ହେଲା ପରେ

ହେଲେ ଆଉ କିଛି

ନିରବେ ଚାଲିଯାଏ ଅବଶୋଷର ମଶାଣୀ ପଥେ

ଭୋକ ମରେନି,ଲିଭେନି ବା ସରେନି

ଏହା ତ ସେ ନିର୍ମୁଳୀ ଲତା ପରି

ମାଡିଚାଲେ ବିସ୍ତାରି ଚାଲେ କାୟାମାୟା

ଶୋଷଣ କରିଚାଲେ ମୋତେ ଓ ମୋ ଅସ୍ଥିତ୍ବ

ମୋ ଭିତରୁ ମୁଁ ଟି ଅବସାନ ହେବା ପର୍ଯ୍ଯନ୍ତ

ଅବିରତ ,ଅନବରତ ଓ ପ୍ରତିମୂହୂର୍ତ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract