ଭୋଗଡାଲା
ଭୋଗଡାଲା
କୁଆଁରୀ ଶୀତର କୋମଳ ପରଶ
କାନ ମୂଳେ ଯାଏ କହି
ଚାଦର ନ ଘୋଡି ଫୁଲ ତୋଳୁଅଛି
ଦାସ ଝିଅ ବୈଦେହୀ ।
ସିନ୍ଦୁରା ଫାଟିନି ଉତ୍ତରା ମର୍ଦାନୀ
ରେଜାଇ ଭିତରେ ସର୍ବେ
କାଳି ଅନ୍ଧାରରୁ ଘରୁ ବାହାରିଛି ଧରି
କଳା ପଲିଥିନ୍ ଗର୍ବେ ।
କାକର ବିନ୍ଦୁରେ କାଲୁଆ ପାଦରେ
ଗଛ ଡାଳ ମୋଡ଼େ ଥରି
ଫୁଲ ଡେମ୍ଫ ଧରି ତଳକୁ ଉଟାରୀ
ପୋଛିନିଏ ଗଣିକରି ।
ଟଗର ମନ୍ଦାର ମଲ୍ଲୀ କନିଅର
ଗେଣ୍ଡୁ ତମାଳ ସେବତୀ
ଛୋଟ ନଗି ଧରି ବୁଲେ ଘିରିଘିରି
ବ୍ରାହ୍ମ ମୁହୁର୍ତ୍ତରୁ ନିତିପ୍ରତି ।
ଫୁଲ ଚୋରି କରି ପୂଜାରେ ଆଦରି
ବିଭୁ ପାଦେ ସମର୍ପଣ
ହେବ ବା କେମିତି ମନବାଞ୍ଛା ସିଦ୍ଧି
କୁହ ଭାଇ ଜନ୍ତୁରାଣ ?
ବାଡି ଫୁଲହାର ଶ୍ରଦ୍ଧାରେ ସୁମର
ଭକ୍ତି ଅନୁରାଗ ସ୍ଵତଃ
ମାଗଣା ଆଦାନ ଚୋରା ସଂପ୍ରଦାନ
ଅସନ୍ତୁଷ୍ଟ ବିଭୁ ନିତ୍ୟ ।
ସବୁ ତାଙ୍କୁ ଜଣା ତାଙ୍କରି ଭିଅଣା
ବିଶ୍ଵନିୟନ୍ତା ସେ ହରି
ଭାଗ୍ୟ ଭୋଗ ଡାଲା ତାଙ୍କରି ଆହୁଲା
କୃପା କୈବଲ୍ୟ ଦୈତାରୀ ।
