ଭଲ ମଣିଷର ଗୀତ
ଭଲ ମଣିଷର ଗୀତ
ଚଉଦିଗେ ଯେବେ ସୁଗୁଣ ସୁବାଷ
ବିତରି ଦିଏ ମୁଁ କେବେ
ମନେହୁଏ ସତେ ଧୂପଟିଏ ପରି
ହୋଇ ତ ପାରିଛି ଏବେ ।
ନାଶେ ଯଦି କେବେ ଜଡତା କାହାର
ବିଦ୍ୟା,ବୁଦ୍ଧି କିଛି ଦେଇ
ଭାବେ ମନେମନେ ବୋଧହୁଏ ନିଜେ
ଜଳିଛି ଦୀପଟେ ହେଇ ।
ଆଖିରୁ କାହାର ପୋଛେ ଯେବେ ଲୁହ
ବନ୍ଧୁ ପଣେ ଯାଇ ଆଗେ
ସେବକ ହେବାର ସପନଟି ମୋର
ସତ ହେଲା ପରି ଲାଗେ ।
ଅନ୍ଧ ମଣିଷର ହାତ ଯେବେ ଧରେ
ବାଟ ଦେଖାଇବା ପାଇଁ
ଲାଗେ ବୋଧେ ହେଲି ନୟନ କାହାର
ଜନମରୁ ଯା'ର ନାହିଁ ।
ମିଠା କଥାଟିରେ ବଶ ହୋଇ ଯେବେ
ଆସେ କିଏ କେତେବେଳେ
ଫୁଲଟିଏ ହୋଇ ଫୁଟିଗଲା ପରି
ଲାଗେ ମୋତେ ସେତେବେଳେ ।
ସାଧୁ ସଙ୍ଗତରେ ବସେ ଯେବେ ଯାଇ
ଅବସର ସମୟରେ
ଏମିତି ଲାଗେ ଯେ ସାଧୁଟିଏ ବୋଲି
ନିଜକୁ ମୁଁ ମନେକରେ ।
ଆସରା ଟିକିଏ ଦେଇଥାଏ ଯେବେ
ଭରସାଟି ନାହିଁ ଯା'ର
ଖୁସି ଆସିଯାଏ ସେଇ କଥାଟିକୁ
ଭାବି ହୁଏ ବାରବାର ।
ଜୀଉଁଛି ଏମିତି ଜୀଉଁଥିବି ମୁହିଁ
କରୁଥିବି କିଛି ହିତ
ସକାଳ ସଂଜରେ ଗାଉଥିବି ନିତି
ଭଲ ମଣିଷର ଗୀତ ।