ଭକ୍ତର ପରୀକ୍ଷା
ଭକ୍ତର ପରୀକ୍ଷା
ଆଷାଢ଼ ଶ୍ରାବଣ ମୋ ବେନି ନୟନ
ତୁହି କି ପାରୁନୁ ଦେଖି
କେଉଁ ପରୀକ୍ଷା ମା ବାକି ରହି ଗଲା
ବସିଛୁ ମଉନ ମୁଖୀ ।
ସଂସାର ବୋଲି ମୁଁ ଯାହାକୁ ଭାବିଲି
ସେତ ମିଛ ଖେଳ ଘର
ଦୁଃଖ ବେଳେ ସାହା ଭରସା ହୋଇଲି
କାହିଁକି ଭାବିଲେ ପର ।
ଚଲା ପଥେ ମୋର କଣ୍ଟା ବିଛାଇଲେ
ନିର୍ଭୟେ ଗଲି ମୁଁ ଚାଲି
ହୃଦୟେ ସ୍ମରିଲି ତୋର ଗୁଣ ନାମ
ଦୁଃଖ କଷ୍ଟ ଗଲି ଭୂଲି ।
ଉପାର୍ଜନ କଲି ଝାଳ ନାଳ ହୋଇ
ଭରଣ ପୋଷଣ ପାଇଁ
ଛଳ ପ୍ରତାରଣା ବୁଝାଇ ଦେଲା ଲୋ
କେହି ତ କାହାର ନୋହି ।
ଚାଳ ଘର ଖଣ୍ଡେ ମୁଣ୍ଡ ଗୁଞ୍ଜିବାକୁ
ଦେଇ ଥିଲୁ କୃପା କରି
ପରୀକ୍ଷା ନେବାକୁ ଉଡ଼ାଇ ତୁ ନେଲୁ
ଝଡ ପ୍ରଭଞ୍ଜନ ପରି ।
ଖାଇବା ଅନ୍ନରେ ଧୂଳି ପଡ଼ିଲା ଲୋ
କାହାର ଦୟାରୁ କୁହ
ଲୋତକ ସାଗରେ ଭାସୁଛି ମା ଲୋ
ହୃଦୟେ ଭରା ମୋ କୋହ ।
ଯେତେ କଷ୍ଟ ଦେଲେ ହୁଏ ଆନନ୍ଦିତ
କାହିଁକି ମୋ ପୋଡା ମନ
ଯେତେ ଥର ମୁହିଁ ପରୀକ୍ଷା ଦିଏ ଲୋ
ହୁଏ ମୋ ପୁନରଜନ୍ମ ।
ଧରମ ଦାଣ୍ଡରେ ଚାଲୁଛି ମୋ ଲୋ
ଶୁନ୍ୟ ମୋର ବେନି ହାତ
ରଖିଲେ ରଖିବୁ ମାରିଲେ ମାରିବୁ
ମୁହିଁ ତୋ ଅଧମ ସୁତ ।
ଆସିଛି ପାର୍ବଣ ହେଉ ଆଗମନ
ପ୍ରାଣେ ଭରି କୃପା ଦୟା
ତୁହି ମୋର ଛାୟା ତୁହି ମୋର କାୟା
ଆଗୋ ଉମା ମହାମାୟା ।