ଭିଜିବି କାହିଁକି ତୋ ପ୍ରେମରେ
ଭିଜିବି କାହିଁକି ତୋ ପ୍ରେମରେ
ଦେଖ କଳାମେଘ ଗୁଣ୍ଠୁଣି ହାତୀ ମୋ
ଆସୁଅଛି ହଲିଝୁଲି
ଆଗକୁ ପଛକୁ ଦୋହଲେ ଟାହିଆ
ପଡୁଅଛି ଫୁଲ ଝରି
ପାଟ ଦଉଡିକୁ ଭିଡି
କରନ୍ତି ସେବକେ ଭିଡା ଓ ଓଟରା
ହସୁଛି ସେ ଖିଲିଖିଲି ।
ଭକତ ଗହଳୀ ବଡ଼ଦାଣ୍ଡେ ଭାରି
ସଜ ହୋଇଅଛି ରଥ
ବାଜୁଛି ବାଇଦ ଘଣ୍ଟ ଓ କାହାଳୀ
ଚାହିଁ ରହିଛନ୍ତି ଭକ୍ତ
ଘଡି ଘଡି ରହି ରହି
ପହଣ୍ଡି ପକାଇ ଚଳେ କଳାମେଘ
ନିର୍ନିମେଷ ଥାଏ ଚାହିଁ ।
ବଳୁଅଛି ମନ ଟାଣିବି ଦଉଡି
ଭିଜିଯିବି ଭକ୍ତି ପ୍ରେମେ
ତୁଣ୍ଡେ ଧରି ନାମ ଜୟ ଜଗନ୍ନାଥ
ଧୂଳିକୁ ବୋଳିବି ମୁଣ୍ଡେ
ସାର୍ଥକ ହୋଇବ ପ୍ରାଣ
ବରଷିବେ କୃପା ସେ ନୀଳ ଜୀମୂତ
ବାମନ ମଧୁସୂଦନ ।
ଅନାଥର ନାଥ ପତିତ ପାବନ
ଅଗତିର ଗତି ମୁକ୍ତି
କଳାମେଘ ପ୍ରେମେ ଅମୃତ ଜୀବନ
ବିତେ ସୁଖେ ଦିନରାତି
ଶରଣ ଶ୍ରୀ ପାଦପଦ୍ମେ
ମୁଁ କାର କାହିଁକି ଦେହ ଗୋଟାପଣେ
ଭିଜିଯାଉ ତାର ପ୍ରେମେ ।
