ଭିଜା ମାଟିର ବାସ୍ନା
ଭିଜା ମାଟିର ବାସ୍ନା
ନିଦାଘର ଶେଷେ ବରଷା ପ୍ରବେଶେ
ହସି ଉଠେ ବସୁମତୀ
ମୌସୁମୀ ପର୍ଶ ରେ ପହିଲି ବର୍ଷାରେ
ପୁଲକ ରଜ ସଂକ୍ରାନ୍ତି ।
ଉଠେ ଅସୁମାରୀ ,ଲଘୁଚାପ କରି
ଥାଏ ବରଷା ମହୀରେ
ଆହାକି ସନ୍ତୋଷ ବିପୁଳ ଉଲ୍ଲାସ
ପୁଲକିତ କୌତୁହଳେ ।
ଧୀରେ ଧୀରେ କ୍ରମେ ରୁକ୍ଷ ଶୁଷ୍କ ଉର୍ବୀ
ଅଙ୍ଗେ ଭରେ କୋମଳତା
ମନ୍ଦ ମନ୍ଦ ବୃଷ୍ଟି କ୍ରମେ ଚାଲେ ବଢ଼ି
ଜାଗେ କେତେ ସରସତା ।
ମନ୍ଦ ମନ୍ଦ ବହେ ଶୀତଳ ପବନ
ପ୍ରବାହିତ ମଉସୁମୀ
ନବ ରୋମାଞ୍ଚ ରେ ସତେଜ ତା ଭରେ
ମାଟି ଦିଏ ମହକାଇ ।
ବରଷା ପରଶ ହେତୁ ଅବନୀ ରେ
ଶୁଷ୍କ ରୁକ୍ଷ ମୃତ୍ତିକାରେ
ଆହକି ରୁଚିର ସୁମଧୁର ତର
ସୁସ୍ନିଗ୍ଧ ଗନ୍ଧ ସଂଚାରେ ।
ଭିଜା ମାଟି ବାସ୍ନା କରଇ ଉନ୍ମନା
ପ୍ରାଣୀ ଉଦ୍ଭିଦ ସକଳେ
ଚାଷୀ ଭାଇ ଖୁସି ହୋଇ ଜମି ଚଷି
ଆରମ୍ଭେ ଯାଇ କ୍ଷେତରେ ।
ଭିଜା ମାଟି ବାସ୍ନା ବାରିଣ ଉନ୍ମନା
ହୋଇ ବନେ ଶିଖି କୁଳ
ଆରମ୍ଭନ୍ତି ନୃତ୍ୟ ବିସ୍ତାରିଣ ପୁଚ୍ଛ
ଦୋଳାଇ ମଞ୍ଜୁଳ ଚୂଳ ।
ଶୁଷ୍କ ରୁକ୍ଷ ଟାଣ ପ୍ରାନ୍ତରେ ଶୋଭନ
କୋମଳ ଶ୍ୟାମଳ ଘାସ
ଶୁଷ୍କ ତରୁ ଅଙ୍ଗେ ରାଜଇ ସୁରଙ୍ଗେ
ନବ ପଲ୍ଲବ ପ୍ରକାଶ ।

