ଭିଜା ଭିଜା ଶ୍ରାବଣ
ଭିଜା ଭିଜା ଶ୍ରାବଣ
ଶ୍ରାବଣ ଆଗମେ ପ୍ରକୃତିର ପ୍ରେମେ
ଭରିଦିଏ କବି ମନ
ଖସେ ଜଳଧାର ଦିଶେ ସୁଶ୍ୟାମଳ
ବୃକ୍ଷ,ବଲ୍ଲୀ,ତୃଣ,ଗୁଳ୍ମ ।
ଜଳ ବରଷଇ ବିଜୁଳି ମାରଇ
ଘନ ଘନ ବର୍ଷେ ଘନ
ମୟୂର ନାଚଇ ଗ୍ରୀବା ଦୋହଲାଇ
କେଡେ ଶୋଭାବନ ବନ ।
ଗ୍ରୀଷ୍ମ ଶୁଷ୍କ ତରୁ ଉଠଇ କଅଁଳି
ଶ୍ରାବଣର ବାରିପାତେ
ଗହଳ ପଲ୍ଲବେ ଝଙ୍କାଳିଆ ଦିଶେ
କେତେ ଜାତି ଛତୁ ଫୁଟେ ।
ବନ ଉପବନ ବହିଲେ ପବନ
କଦମ୍ବ ଗନ୍ଧେ ମହକେ
ବନ,ବିଲ,ବାଡି,ଜଳେ ଯାଏ ଭରି
ରଡି ଛାଡ଼ୁଥାନ୍ତି ଭେକେ ।
କେଁ କେଁ କଟ କଟ କଟର କଟର
ରାବେ ମୁଖରିତ ହୁଏ
ରାସ୍ତାଘାଟ ବନ ବିଲ ଓ ଅଗଣା
ଜଳରେ ଯେ ଓଦା ଥାଏ ।
ଦିନରାତି ଶୁଭେ ଅବିରତ ଭାବେ
ଦର୍ଦ୍ଦୂର ଚିତ୍କାର ବଢ଼ି
କେବେ କେବେ ଆସେ ଜୀବଜନ୍ତୁ ନାଶେ
ବନ୍ୟା ଆଉ ନଈବଢ଼ି ।
ଘଡ଼ଘଡ଼ି ରବ ଶୁଭେ ନଭୁ ତୀବ୍ର
ଶ୍ରାବଣେ ତୁହାକୁ ତୁହା
କହୁଥାନ୍ତି ଜନେ ତହିଁରୁ କି ସତେ
ଆକାଶରୁ ଖସେ ଲୁହା ।
ମନ୍ଦ୍ର ନାଦେ ମେଘେ ଆହା କି ସରାଗେ
ସରଗୁ ଆସଇ ଖସି
ଅବିରାମ ରାମନାମ କେ ଜପୁଛି
ରିମି ଝିମି ଝିପି ଝିପି ।

