" ଭିଜା ଭିଜା ବର୍ଷା ଦିନ "
" ଭିଜା ଭିଜା ବର୍ଷା ଦିନ "
ବରଷା ବର୍ଷୁଛି ଛମ ଛମ ଶବ୍ଦରେ
ଭିଜା ମାଟିର ଯେ ଅପୂର୍ବ ବାସ୍ନା
ଆକାଶେ ବତାସେ ପତରେ ପତରେ
ସିଞ୍ଚି ଦେଉଛି ସେ ଅମୃତ ବନ୍ୟା ।
ଭିଜା ମାଟିରେ ଯେ ଭିଜା ଘାସ ଦିଶେ
ନରମ ସବୁଜ ଟେ ଭଳି
କୀଟ ପତଙ୍ଗ ଙ୍କ ଅପୂର୍ବ ଆନନ୍ଦ
ଖୁସୀରେ ଉଡନ୍ତି ହୋଇ କି ମେଳି ।
ଭିଜା ବରଷାରେ କୃଷକ ଭିଜୁଛି
ଆନନ୍ଦ ଲହରୀ ପବନେ ଖେଳେ
ସବୁଜ ସପନେ ବିଭୋର କୃଷକ
ଭିଜା ବରଷାରେ ସଉଧ ତୋଳେ ।
ଭିଜା ବରଷା ରେ ଧରିତ୍ରୀ ସନ୍ତୋଷ
ତୃପ୍ତିର ନିଃଶ୍ୱାସ ପବନେ ଭରେ
ଭିଜା ବରଷାରେ ସବୁଜ ଶାଢୀରେ
ସଭିଙ୍କର ମନ ହରଣ କରେ ।
ଭିଜା ଭିଜା ବର୍ଷା ଜୀବନ ସଂଚାରେ
ମେଘ ଦେଖି ନୃତ୍ୟ କରେ ମୟୂର
ମାତୃତ୍ଵ ଆନନ୍ଦେ ମୟୂରୀ ବିଭୋର
ସାରୁ ବୁଦା ମୂଳେ ବେଙ୍ଗର ଡାକ ।
ଗଛ ଡାଳେ ପକ୍ଷୀ ବର୍ଷାରେ ତିନ୍ତୁଛି
ଶୁଷ୍କ ପୁଷ୍କରିଣୀ ଜଳେ ଭରୁଛି
ଭିଜା ବରଷାରେ ଶିଶୁଙ୍କର ମେଳି
କାଗଜ ଡଙ୍ଗାର ଭିଡ଼ ଜମିଛି ।
ଭିଜା ବର୍ଷା ଦିନ ସମୃଦ୍ଧି ଶାଳୀ ଯେ
ସପନ ବୁଣଇ ସବୁରି ମନେ
ବିରହ ବିଧୁରେ ବେଦନା ଭରଇ
ନିଃସଙ୍ଗତା ପରା ବାହୁନି କାନ୍ଦେ ।
ଭିଜା ଭିଜା ବର୍ଷା ଦିନଟି ସୁନ୍ଦର
ମାଦକତା ସ୍ରୋତ ବୁହାଇ ଦିଏ
ଜଡରୁ ଜଗତ ସଭିଏଁ ବିଭୋର
ସଭିଙ୍କ ମଙ୍ଗଳେ ଆସି ଯେ ଥାଏ ।
