ଭୀଷ୍ମାନ୍ତ
ଭୀଷ୍ମାନ୍ତ
ତୁମେଇ ତ ଏକମାତ୍ର ସାକ୍ଷୀ ଥିଲ
ପାଣ୍ଡବ ବନବାସର
ତୁମେଇ ତ ଏକମାତ୍ର ଜାଣିଥିଲ
ମହାଭାରତ ରହସ୍ୟ
ତୁମେଇ ତ ବଜ୍ର ଶପଥ କରି
ଦେଇଥିଲ ମାଆଙ୍କୁ ବିଶ୍ବାସ
ଛାଡ଼ିଥିଲ ରାଜ୍ୟ,
ଛାଡ଼ିଥିଲ ହସ୍ତିନାର ରାଜସିଂହାସନ
କୋଳେଇ ନେଇଥିଲ ଦୁର୍ଯ୍ୟୋଧନ,
ଦୁଃଶାସନର ଧୃଷ୍ଟତା
ପଞ୍ଚୁପାଣ୍ଡବଙ୍କ ଆତ୍ମିୟତା
ଶ୍ରୀକୃଷ୍ଣଙ୍କ କପଟତା
ଆଉ ସମୟର ନିଷ୍ଠୁରତା l
କାମ-କ୍ରୋଧ - ମୋହ – ମାୟା ତ୍ୟାଗ କରି
ଅଷ୍ଟରିପୁକୁ ହାତମୁଠାରେ ରଖିଲ
ବଳି ପଡ଼ିଥିଲ ଗୁରୁଶ୍ରେଷ୍ଠ ବଶିଷ୍ଠ, ବିଶ୍ବାମିତ୍ର,
ଦୋଣାଚାର୍ଯ୍ୟଙ୍କ ଠାରୁ ।
କୁଆଡ଼େ ଗଲା ତୁମର ସେ
ଅଦମ୍ୟ ଧୈର୍ଯ୍ୟ, ସାହସ, ବୀରତ୍ଵ
ତୁମର ସେ ନିରୋଳା, ନିର୍ବିବାଦ, ପ୍ରତିବାଦ
ଆଉ ସେ ଭୀଷ୍ମ ପ୍ରତିଜ୍ଞା ?
ସମୟଚକ୍ରରେ ଦିନେ ତୁମେ ବି
ଅବଶ ସାଜିଲ l
କି ଆଶ୍ଚର୍ଯ୍ୟ ସତେ
ମହାନଆତ୍ମା ଅଥଚ ଶର ଶଯ୍ୟାରେ!
ଗଙ୍ଗାପୁତ୍ର ତୁମେ ତଥାପି ତୃଷାର୍ତ୍ତ !
ଅର୍ଜୁନର ଶର ମୁନେ ଜଳଦାନର ପ୍ରୟାସ ।
ସବୁ ଆଜି ତୁଚ୍ଛ ମନେ ହୁଏ
ସ୍ଥାଣୁ ପାଲଟେ ସମୟ
ବହଳ ଅନ୍ଧାରେ ଜହ୍ନ ଲୁଚିଗଲା ପରି
କ୍ଷଣିକରେ ହଜିଯାଏ ଯେତକ ବୀରତ୍ବ,
ହାରିବା ଜିତିବା ପାଇବା ଭିତରେ,
ସେ କଣ ଯେ ଥାଏ ?
ଜୀବନରେ ସମସ୍ତଙ୍କୁ ଥରେ ତ
ପ୍ରତୀକ୍ଷା କରିବାକୁ ହୁଏ,
ହାରିବାକୁ ହୁଏ,
ଅବଶ ହେବାକୁ ହୁଏ
ଜୀବନ ଅନ୍ତରେ ।
