ଭଗ୍ନ ଶିଳାର ଦୁଃଖ
ଭଗ୍ନ ଶିଳାର ଦୁଃଖ
କୋଣାର୍କର ରୂପ କଳାର ସ୍ୱରୂପ
ଯେତେବେଳେ ଦେଖେ ମୁହିଁ ,
ପାଷାଣର ଲୁହ ଦେଖି ଉଠେ କୋହ
ଏକ ଲୟେ ଥାଏ ଚାହିଁ ।
ପାଷାଣ ପ୍ରତିମା ଭଗ୍ନ ଶିଳା ଜେମା
ଜୋଛନା ପରଶ ପାଇ,
ଅନିନ୍ଦ୍ୟ ରୂପସୀ ହୋଇଣ ଉଦାସୀ
ଶୋକାର୍ତ୍ତ ହୃଦୟ ବହି ।
ଇସାରାରେ ତା'ର ଡ଼ାକେ ବାରବାର
ସମ୍ମୁଖେ ବସିବା ପାଇଁ ,
କହେ ଲେଖ କବି ମୋର କଥା ଭାବି
ଜୀଇଁଛି ତୁମରି ପାଇଁ ।
ତୁମ କଲମରେ ତୁମ ଛନ୍ଦ ସ୍ୱରେ
ଲେଖିଦିଅ ବହୁ ରଙ୍ଗେ,
ବାଧ୍ୟ କର ବାରେ ଆସି ଦେଖିଯା'ରେ
ପର୍ଯ୍ୟଟକ ମୋର ଅଙ୍ଗେ।
ସମଗ୍ର ବିଶ୍ୱର ଉତ୍କଳ ମାଟିର
କୋଣାର୍କର ନାମ ବହି ,
ଭଗ୍ନ ଶିଳା ବାଳା ଉତ୍କଳର କଳା
କିପରି ରହିଛି ଜୀଇଁ ।
ତୁମରି ଶବଦେ ଶିଳା ନୃତ୍ୟ ଛନ୍ଦେ
କରୁଅଛି ଆକର୍ଷଣ,
ଆଉ କେତେ ଦିନ ରହିବି ମଉନ
ସହି ଅସହ୍ୟ କଷଣ ।
କଳା ପ୍ରେମୀଙ୍କର ନବ ପ୍ରେରଣାର
ଉଦାହରଣ ମୁଁ ସାଜି ,
ନିଷ୍ପ୍ରାଣ ଦେହରେ ଭଗ୍ନ ମନ୍ଦିରରେ
ଦଣ୍ଡାୟମାନ ମୁଁ ଆଜି ।
ମୋର ଚାରିପାଶେ ପର୍ଯ୍ୟଟକ ବସେ
ଦେଖଇ ନିହାଣ ବାଜି,
ଓଡିଶା ଶିଳ୍ପୀର କାର୍ଯ୍ୟ ବଢ଼େଇର
ଦେଖି ସ୍ଵପ୍ନେ ଯାଏ ହଜି ।
ମୋର ଚିତ୍ରପଟ ତୋଳି ଝଟପଟ
ଚାଲିଯାଏ ମତେ ଭାବି,
ମୋର ଜୀବନର କଥାର ବର୍ଣ୍ଣନ
ନୀରବରେ ଲେଖେ କବି ।
ମୋ' ଅଙ୍ଗେ ଭୂଷଣ ପିନ୍ଧାଇ ଦେଇଣ
ଶବ୍ଦର ମୂର୍ଚ୍ଛନା ତୋଳି ,
କଠୋର ତନୁରେ ସଜାଇ ସାଦରେ
ଆନନ୍ଦରେ ଦିଏ ବୋଳି ।
ଅତୀତର କଥା ଭୁଲିଯାଇ ବ୍ୟଥା
କହୁଛି ହୋଇଣ ଖୁସି ,
ଓଡ଼ିଶା ଶିଳ୍ପୀର ନିହାଣ ସ୍ପର୍ଶର
କାରୁକାର୍ଯ୍ୟ ଦେଖ ଆସି ।
ଭଗ୍ନ ଶିଳାବାଳା କୋଣାର୍କର କଳା
ନୃତ୍ୟର ଛନ୍ଦେ କହୁଛି ,
ପଚାର ହେ ! କବି ଅଧିର ମୋ' ଛବି
ମୋ ପରି ଆଉ କେ' ଅଛି।?
ଥରୁଟେ କୁହରେ ମୋହର ଦେଶରେ
ଅବା ବିଦେଶରେ ହେଉ,
କେହି ନଚିହ୍ନନ୍ତି ନିରବ ରୁହନ୍ତି
ଜାଗରଣ କଥା ଥାଉ ।
କୋଣାରକ ତୁମ ତୁଚ୍ଛ ମରୁ ସମ
ନିଃଶବ୍ଦେ ଗଲାଣି ଶୋଇ ,
କବି ତୁମ ଶଦ୍ଦେ ଶିଳା ନୃତ୍ୟ ଛନ୍ଦେ
ପୁଣି କି' ଉଠିବ ଚେଇଁ ।??
ମୁଁ ତୁମ ମାନସୀ ତୁମ ବନହଂସୀ
ସ୍ଵାଭିମାନ ଉତ୍କଳର ,
କଳାର ପୂଜାରୀ ରଙ୍ଗ ତୂଳୀ ଧରି
କର ହେ ! ପୁନରୁଦ୍ଧାର ।