ଭଗବତୀ ଭାରତୀ
ଭଗବତୀ ଭାରତୀ
ଭାଲେରି ସୋଲେରି ଚିଲିକା ଲହରୀ
ଘଣ୍ଟଶିଳା ଗାଏ ଗୀତି
ମହିମା ମୟୀ ମୋ ମାଆ ଜୟଗାନ
ମାଆ ମୋର ଭଗବତୀ
ଦୟାମୟୀ ଭାରତୀ
ତୁମ ପାଦରେ କୋଟି ପ୍ରଣତି।୧!
ଦକ୍ଷ ପ୍ରଜାପତି ଯଜ୍ଞରେ ଆହୁତି
ଦେଇଥିଲେ ମାଆ ସତୀ
ମାଆଙ୍କର ମର ଶରୀର ଖଣ୍ଡରୁ
ମାଆ ଭଗବତୀ ସୃଷ୍ଟି
ଅଷ୍ଟଭୂଜା ମୂରତୀ
ମାତା ବାଣପୁରେ ବିରାଜନ୍ତି।୨!
ଅଷ୍ଟକିଳା ଭାବେ ଅଷ୍ଟ ମହାଶକ୍ତି
ରାଇଜରେ ଆମ କ୍ଷାତ
ତାଙ୍କରି ଭିତରୁ ଜଣେ ଭଗବତୀ
ଭକତ ବତ୍ସଳା ସେତ
ଦେଖ ଉଡୁଛି ନେତ
ଭାରି ପ୍ରତ୍ୟକ୍ଷ ଦେବୀ ଟି ସେତ ।୩।
ବାଣାସୁର ପୁର ସେହି ବାଣପୁର
ଚିଲିକା କୂଳରେ ଗାଆଁ
ଯୁଗ ଆରମ୍ଭ ରୁ ସେ ପୁଣ୍ୟ ପୀଠରେ
ପୂଜା ପାଉଛନ୍ତି ମାଆ
ସେତ ହୁଅନ୍ତି ସାହା
ଦୀନ ଦୁଃଖୀ ଙ୍କୁ ବତାଇ ରାହା।୪।
କେତେ ଲୋକ କଥା କେତେ କିମ୍ବଦନ୍ତୀ
ମାଆଙ୍କ ମହିମା ଗାଏ
ପାଖେ ଥିଲେ ଫୁଲ ସିନ୍ଦୂର ମାଆଙ୍କ
ସବୁ କାମ ଶୁଭ ହୁଏ
ଦୟାମୟୀ ଟି ସିଏ
ସଦା ଦୟା ଯେ ବରଷା ହୁଏ।୫।
ବୌଦ୍ଧ ତନ୍ତ୍ର ଯାନି ଆଦିବାସୀ ଆଉ
ଶକ୍ତି ଉପାସକ ଶାକ୍ତ
ତୁମରି ଚରଣେ ଶରଣ ଯାଆନ୍ତି
ସଭିଏ ତୁମରି ଭକ୍ତ
ନାମ କରିଲେ ଜପ
ଦୂର ହୁଅଇ ସବୁ ଦୂରତ।୬।
ତୁମେ ଖମ୍ବେଶ୍ୱରୀ ତୁମେ ମାହେଶ୍ବରୀ
ପତିତ ତାରଣ ମାଆ
ନିଷ୍ଠା ରେ ପୂଜିଲେ ଭକ୍ତିରେ ଭଜିଲେ
ତୁମେ ହୋଇଥାଅ ସାହା
ଦିଅ ଯାଚି ଗୋ ଆହା
ଯିଏ ମାଗଇ ତୁମକୁ ଯାହା।୭।
ତୁମ ଗାଥା କଥା ଜୟଗାନ କରେ
ବାଣପୁର ଇତିହାସ
ଘଣ୍ଟଶିଳା ପାଦେ ସରତୁଆ କୂଳେ
ତୁମରି ଭବ୍ୟ ପରସ
ଭରି ଦିଅ ଗୋ ହସ
ଭାବ ଭକତିରେ ହୋଇ ତୋଷ।୮।
ଖମ୍ବେଶ୍ୱରୀ ଭାବେ ପାଉଥିଲ ପୂଜା
ସରତୁଆ ନଦୀ କୂଳେ
ଶବରମାନେତ କରୁଥିଲେ ପୂଜା
ଘନ ବନାନୀର କୋଳେ
ଢାଙ୍କି ପତର ଫୁଲେ
ସେତ ପୂଜୁଥିଲେ ଗଛ ମୂଳେ।୯।
ଗୌରୀପୁତ୍ତ ସଙ୍ଘ ବୌଦ୍ଧ ଧର୍ମ ତନ୍ତ୍ର
ଯାନ ଅନୁଗାମୀ ସେହି
ତୁମ ଶିଳା ମୂର୍ତ୍ତି ଗଢିଥିଲେ ବୋଲି
ଇତିହାସ ଯାଏ କହି
ଅଛ ସେଦିନୁ ରହି
ଭକ୍ତ ଜନଙ୍କ ମନକୁ ମୋହି ।୧୦।
ମହୀଷ ମର୍ଦ୍ଦନୀ ଅଷ୍ଟଭୂଜା ମୂର୍ତ୍ତି
ଅପୂର୍ବ ସେ ଶୋଭାବନ
ଦୁଇ ହାତେ ମାଆ ତ୍ରିଶୁଳ ଧରିତ
କରୁଛ ଦୈତ୍ୟ ଦଳନ
ଆନ ଚାରି ହାତେଣ
ଶଙ୍ଖ ଚକ୍ର ଅଙ୍କୁଷ ଯେ ତୀକ୍ଷ୍ନ।୧୧।
ପାଦରେ ଲୋଟଇ ରକ୍ତ ଜୁଡୁବୁଡୁ
ମହୀଷୀ ର କଟା ଶିର
ପାସେ ଥାଏ ତାର ମସ୍ତକ ବିହୀନ
ମହୀଶାସୁର ଅସୁର
ଦେଖି ଲାଗଇ ଡର
କଲ ତୁମେ ତ ସମର ଘୋର।୧୨।
ବର୍ଷ ବର୍ଷ ଧରି ଖରା ବରଷାରେ
ପାଉଥିଲ ପୂଜା ମାତ
ରାଜା ଜଗନ୍ନାଥ ହରିଚନ୍ଦନ ସେ
ଗଢିଲେ ମନ୍ଦିର ସେତ
ସେହି ଦିନରୁ ତହିଁ
ମାଗୋ ପୂଜା ପାଉଅଛ ରହି।୧୩!
ସେବାରେ ଖଟନ୍ତି ଛତିଶ ପାଟକ
ବ୍ରାହ୍ମଣ ସୁଆର ମାଳି
ବ୍ରାହ୍ମଣେ ପୂଜନ୍ତି ମାଳି ମାନେ ପରା
ଆଣିଥାନ୍ତି ଫୁଲ ତୋଳି
ମାଳି ବେଶ କରନ୍ତି
ଭୋଗ ସୁଆର ମିଶି ରାନ୍ଧନ୍ତି!୧୪!
ଶ୍ରୀମନ୍ଦିର ସହ ମାଆ ଭଗବତୀ
ନିବୀଡ ସମ୍ପର୍କେ ବନ୍ଧା
ଜଗତ ଜନନୀ ଜଗତ ର ନାଥ
ଭାବ ବନ୍ଧନ ରେ ଛନ୍ଦା
ନିତି ମହାପ୍ରସାଦ
ପ୍ରାତେ ମାଆଙ୍କୁ ତ ଲାଗେ ଭୋଗ ।୧୫!
ମଧ୍ୟାହ୍ନ ଧୂପରେ ରାତ୍ରି ନୈବେଦ୍ୟ ରେ
ଆମିଷ ମାଆଙ୍କ ଭୋଗ
ମାଛ ତରକାରି ମାଛର ମହୁର
ଲାଗି ହୁଏ ମାଛ ଗୁଣ୍ଡ
ଭକ୍ତ ହୁଅନ୍ତି ରୁଣ୍ଡ
ସେତ ପାଇବା ପାଇଁକି ଭୋଗ ।୧୬!
ଭାଦ୍ରବ ମାସର ଶୁକ୍ଳ ଅଷ୍ଟମୀରେ
କରନ୍ତି ମାଆ ଶୟନ
ନିଦରୁ ଉଠନ୍ତି କରୁଣାମୟୀ ସେ
ମୂଳା ଅଷ୍ଟମୀ ର ଦିନ
ସ୍ନାନ କରନ୍ତି ମାତ
ଶହ ଶହ କୁମ୍ଭ ଜଳେ ସେତ।୧୭!
ମୂଳା ଅଷ୍ଟମୀ ରୁ ଶାରଦୀୟ ପୂଜା
ମାଆଙ୍କ ଆରମ୍ଭ ହୁଏ
ଷୋଡ଼ଶପଚାରେ ପୂଜା ଅରଚନା
ଭକତଙ୍କ ମନ ମୋହେ
ହୋମ ଯଜ୍ଞ ଯେ ହୁଏ
ମାଆ ମହିମା ଜଗତ ଗାଏ।୧୮!
ମମତାମୟୀ ଗୋ ଦେବୀ ଦୟାମୟୀ
ମାଆ ମୋର ଭଗବତୀ
ତୁମରି ଦୟାରୁ ସାରା ଜଗତରୂ
ଯାଉ ମା ତମସା ହଟି
ପାଦେ ତୁମ ମିନତି
କ୍ଷମା ଦେବ ଥିଲେ ଦୋଷ ତୃଟି!୧୯!
