ପିଣ୍ଡ
ପିଣ୍ଡ
ପିଣ୍ଡରେ ପରାଣ ରହିଥିବା ଯାଏ
ମନେ ଲୋଭ ରହିଥାଏ
ଏଇ ଲୋଭ ପାଇଁ ଏଇତ ମଣିଷ
କର୍ମେ ଅଗ୍ରସର ହୁଏ ।
ସେଇ କର୍ମ ପୁଣି ବିଭିନ୍ନ ପ୍ରକାର
କରନ୍ତି ସେ ଇଚ୍ଛା ମତେ
ପିଣ୍ଡରେ ପରାଣ ରହିଥିବା ଯାଏ
ରହନ୍ତି ସଂଘର୍ଷ ରତେ ।
ଦୁଃଖ କଷ୍ଟ ପୁଣି କେତେ ଯେ ଯନ୍ତ୍ରଣା
ଏ ଜୀବନେ ଆସିଥାଏ
ପିଣ୍ଡରେ ପରାଣ ରହି ଥିବା ଯାଏ
ନା ସେ ପଛ ଘୁଞ୍ଚା ଦିଏ ।
ପିଣ୍ଡେ ପ୍ରାଣ ଥିବା ଯାଏ ସତ୍ୟବାଦୀ
ମିଛ ଆଶ୍ରୟ ନ ନିଏ
ସତ୍ୟ ଧର୍ମ ନ୍ୟାୟ ପଥେ ଚାଲୁ ଥାଏ
କାହାକୁ ନା ଡରି ଥାଏ ।
ପିଣ୍ଡରେ ପରାଣ ଥିବା ଯାଏ ଭକ୍ତ
ଛାଡେନି ପ୍ରଭୁଙ୍କୁ ତାର
ଶୟନେ ସ୍ବପନେ ଅବା ଜାଗରଣେ
ଜପୁ ଥାଏ ନିରନ୍ତର ।
ପିଣ୍ଡେ ପ୍ରାଣ ଥିବା ଭୋକିଲା ଲୋକଠୁ
ଛଡେଇ ନେଇ ଆହାର
ମରିଗଲା ବେଳେ ବେଣା ମୂଳେ ଦେଲେ
ହେବ କି ଧର୍ମ ତାହାର ?
ରାଜା ଦଶରଥ ମରିଗଲେ ପରେ
ମାଗି ଥିଲେ ପିଣ୍ଡ ଦାନ
ଫଲଗୁ ନଦୀର ବାଲୁକା ରାଶିରେ
ସୀତା କରିଲେ ଅର୍ପଣ ।
ସେଇ ଦିନ ଠାରୁ ପିତୃ ଶ୍ରାଦ୍ଧ ହେଲେ
ନଦୀ ବାଲି ଦରକାର
ଗଙ୍ଗା ଗୟା ଯାଇ କିଏ ପିଣ୍ଡ ଦିଏ
ଦିଏ କେ ପୁଣ୍ୟ ତୀର୍ଥର ।
ପିଣ୍ଡରେ ପରାଣ ଥିବା ଯାଏ କେବେ
ନିଏ ନାହିଁ ଜନ୍ତୁରାଣ
ଭଲ କର୍ମ କଲେ ଭଲ ଫଳ ମିଳେ
କୁକର୍ମେ ଭୋଗେ କଷଣ ।
ଏ ବିଶ୍ବ ଜଗତେ ପୁଣି ରହିଅଛି
କେତେ ଯେ ଉଲକା ପିଣ୍ଡ
ଏ ସାରା ବିଶ୍ବର ଭାଗ୍ୟ ବିଧାତା
ବିଷ୍ଣୁଙ୍କୁ ମୋ ଦଣ୍ଡବତ ।