*ବିଶ୍ବାସ*
*ବିଶ୍ବାସ*
ବିଶ୍ବାସ ହେଉଛି ଏମିତି ଗୋଟିଏ
ଥରେ ଯଦି ଚାଲି ଯାଏ
ଯିଏ ଯେତେ ପଛେ ସଫେଇ ଦେଉ ନା
ଏଇ ମନ ବୁଝି ଥାଏ ।
ସରଳ ବିଶ୍ୱାସ ଭାବରେ ଏ ମନ
କେତେ ଭଲ ପାଉଥାଏ
କୁଆଡୁ ଆସଇ ସନ୍ଦେହର ବହ୍ନି
ଜାଳି ଦେଇ ସିଏ ଯାଏ ।
ଅବିଶ୍ବାସ ଅଶାନ୍ତିର ନିଆଁ ଝୁଲ
ଶେଷ କରେ ସୁଖ ଶାନ୍ତି
ସ୍ନେହ ମମତାର ପ୍ରୀତିର ବନ୍ଧନେ
ସୃଷ୍ଟି କରେ ସେ ଅପ୍ରୀତି ।
କାହାକୁ ବିଶ୍ୱାସ କରିବ ଏଇଠି
ସମସ୍ତେ ଯେ ସ୍ୱାର୍ଥ ଲୋଭୀ
ସ୍ୱାର୍ଥ ପାଇଁ ପରା ଏଇତ ମାନବ
ବିକ୍ରି କରେ ବୃଦ୍ଧା ଗାଭୀ ।
ବିଶ୍ବାସେ ଯାହାକୁ କଥାଟିଏ କୁହ
ଚୁଗୁଲାମୀ କରେ ସିଏ
ଉପରେ ଉପରେ ଭଲ ପାଇ ଚେର
ଭିତରୁ ସେ କାଟି ଥାଏ ।
ପଦେ କଥାରେ ସେ ଅନେକ ଯୋଡିଣ
ଖଛ ମିଛ କଥା କହି
ତୁମକୁ ଦୂରେଇ ସଭିଁଙ୍କ ଆଖିରେ
ଭଲ ହେଇ ଥାଏ ସେହି ।
ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କେ
ସମ୍ପତ୍ତି ପ୍ରବେଶ କରେ
ସମ୍ପତ୍ତି ପାଇଁ ବି ଭାଇ ଭଉଣୀଠୁ
ଚାଲି ଯାଏ ବହୁ ଦୂରେ ।
ବିଶ୍ବାସ ପାଖରେ ଭାଇଟିଏ ପୁଣି
ଅବିଶ୍ବାସୀ ହେଇଯାଏ
ସମ୍ପତ୍ତି ଲୋଭରେ ପାଗଳ ହେଇଣ
ସର୍ବସ୍ବାନ୍ତ କରି ଦିଏ ।
ବିଶ୍ବାସରେ ଅଣ୍ଟିଛୁରୀ ତଣ୍ଟି କାଟେ
ଭାଇ ସାଜଇ ଭଗାରୀ
ଗର୍ଭଧାରୀ ମାତା ସାଜଇ ବିମାତା
ହୁଅଇ ତାର ବଇରୀ ।
ଏଇ ଦୁନିଆରେ ବିଶ୍ଵାସୀ ହୋଇବା
ବଡ କଷ୍ଟକର ହୁଏ
ବିଶ୍ବାସ ପଛରେ ଅବିଶ୍ବାସ ହାତ
ଅହରହ ରହି ଥାଏ ।
ବିଶ୍ବାସରେ ଏଠି ବିଷ ଭରି ବାର
ଅନେକ ଯେ ରହିଛନ୍ତି
ଏପଟ ସେପଟ କଥା ସେ କହିଣ
ଫାଇଦା ଉଠେଇ ଥାନ୍ତି ।
ଏତେ ବଡ ଏଇ ଦୁନିଆରେ ସତେ
ଯାହାକୁ ବିଶ୍ୱାସ କର
ସ୍ୱାର୍ଥ ପାଇଁ ଦିନେ ଶତ୍ରୁ ପାଲଟି ସେ
କରି ଦେବ ଛାରଖାର ।
ନିଜ ନିଃଶ୍ବାସକୁ ନାହିଁତ ବିଶ୍ୱାସ
କାହାକୁ ବିଶ୍ୱାସ କୁହ
ଯାହାକୁ ବିଶ୍ୱାସ କରିବ ତୁମେ ତ
ଦେବ ସିଏ ଆଖି ଲୁହ ।
ପ୍ରଭୁଙ୍କୁ ଯେବେ ତ ବିଶ୍ଵାସ କରିବ
ମୁକ୍ତି ମିଳିବ ଅବଶ୍ୟ
ମଣିଷକୁ ଯେବେ କରିବ ବିଶ୍ୱାସ
ସବୁ ହେବ ସର୍ବନାଶ ।