ଭଗବାନ ଏ କ'ଣ କଲ ?
ଭଗବାନ ଏ କ'ଣ କଲ ?
ମାତୃଗର୍ଭା ମାଂସ ପିଣ୍ଡୁଳାରେ
ଜୀବନର ମନ୍ତ୍ର ଫୁଙ୍କି
ପ୍ରାଣ ପ୍ରତିଷ୍ଠା କଲ
ଗର୍ଭଜଳରୁ ପାର୍ଥିବ ସ୍ଥାନକୁ ରାସ୍ତା
ତୁମେ ହିଁ କଢାଇଲ
ପରିଚୟ ଦେଲ....
ଆଉ ବୁଦ୍ଧି ବିବେକ ପାଇଁ
କାହିଁକି ଆତ୍ମନିର୍ଭରଶୀଳ କରିଲ
ତୁମେ ମଣିଷ ତ ଗଢିଦେଲ
ମଣିଷ ପଣିଆର ପାଣି କାହିଁକି ନସିଞ୍ଚିଲ
ଭଗବାନ ତୁମେ କଣ କଲ ?
ମୋହ-ମାୟା , ଲୋଭ-ହିଂସା
ମନରେ ଖଞ୍ଜିଲ
ଚକ୍ଷୁ ଦେଇ ଦୃଷ୍ଟିରେ ବିଭାଜନ କଲ
ପାଟି ଦେଲ ଅଶାଳୀନ ଭାଷା ବି ଦେଲ
ଜିହ୍ଵା ଦେଲ ରକ୍ତର ସ୍ଵାଦ ବି ଚଖେଇଲ
ମନରେ ଖାଲି ପ୍ରେମ ନଦେଇ
ଘୃଣାଭାବ ବି ଜନ୍ମେଇଲ
ଭଗବାନ ତୁମେ ଏ କଣ କଲ ?
ସୁଖ ପାଇଁ ଏତେ ସବୁ ଖଞ୍ଜି
ଦୁଃଖ ସହ ପରିଚିତ କଲ
ସନ୍ତୁଷ୍ଟ ହେବାର ମାତ୍ରା ନିର୍ଦ୍ଧାରଣ ନକରି
ଅଳ୍ପକେ ସନ୍ତୁଷ୍ଟ ହେବା ପାଇଁ
ଜ୍ଞାନ ବାଣୀ ବି ଦେଲ
ସ୍ଵପ୍ନର ସହରେ ମନକୁ ବୁଲିବା ଶିଖେଇ
ସଞ୍ଜତ ହେବାର ବିଚାର ଦେଲ
ମନକୁ ପବନର ଗତି ଦେଇ
ମନକୁ ସର୍ବଦା ଅତୃପ୍ତ ରଖିଲ
ଭଗବାନ ତୁମେ କଣ କଲ ?
ଏତେ ସବୁ ପ୍ରଶ୍ନ ମୋ ମନରେ ଆସୁଥିବା ଜାଣି
ଅନ୍ତରାତ୍ମାରୁ ଆବାଜ ଆସିଲା
ଜନ୍ମ-ମୃତ୍ୟୁ ମଝିରେ ଜୀବନଟେ ଦେଇ
ଏ ସୁନ୍ଦର ସୃଷ୍ଟିର ସୁନ୍ଦରତାକୁ ବଢ଼ିବାର ପ୍ରୟାସ କରିଥିଲି
କିନ୍ତୁ ଭାବୁଛି ଭୁଲ୍ ରହିଲା କେଉଁଠି
ସର୍ବଶ୍ରେଷ୍ଠ ମାନବ ଏତେ ଅବିବେକୀ ହେଲା କେମିତି
ଆତ୍ମା ରୂପୀ ନାରାୟଣ ଉପରେ ଦୋଷ ଲଦି
ମାନବରୁ ଦାନବ ହେବାର ପଥରେ ଚାଲିଛି ହୋଇ ମସଗୁଲ
ପଚାରୁଛି ଭଗବାନ ତୁମେ ଏ କଣ କଲ ?
