ଭଦ୍ରମୁଖା
ଭଦ୍ରମୁଖା


ଦେଖିବାକୁ ଲାଗେ ନିଆରା ମଣିଷ
ହୃଦୟେ ଜହର ଘର
ଜାଣିବାକୁ କଷ୍ଟ ଲୁଚିରହିଥିବା
ଅସଲ ଚେହେରା ତାର ।
ବିଶ୍ୱାସରେ ବିଷ ଦେବାକୁ କଦାପି
ପଛ ଘୁଞ୍ଚା ଦିଏ ନାହିଁ
ତିଳେ ମାତ୍ର ନ ଭାବି ଅନ୍ୟର କଥା
ଚକ୍ରବ୍ୟୁହ ରଚୁଥାଇ ।
ଭିନ୍ନ ଧରଣର ମଣିଷ ସେ ଅଟେ
ପ୍ରେମଭରା ପୃଥିବୀରେ
କୃତ୍ରିମ୍ ପ୍ରେମରେ ଫସାଇ ଅନ୍ୟଙ୍କୁ
ବିଶ୍ବାସକୁ ହତ୍ୟାକରେ ।
ଉପରେ ସୁନ୍ଦର ସରଳ ଚରିତ୍ର
ଅନ୍ତର କୁତ୍ସିତ ଅଟେ
ସଚ୍ଚୋଟ ପଣିଆ ଅଳପ ଦିନିଆ
ପ୍ରତିରୋଧ ସାଜେ ବାଟେ ।
ଅନ୍ୟର ଉନ୍ନତି ପାରେ ନାହିଁ ସହି
କୌଶଳେ ଟାଣଇ ଗୋଡ଼
ସଅଳ ହୁସିଆର ନ ହେଲେ ବନ୍ଧୁ
ବଦଳାଏ ନୂଆମୋଡ଼ ।
ଗୁଣ ଗାଉଥିବ ଅଖା ଧୋଉଥିବ
ଭାଳୁ ଥିବ କଥା ବସି
ଚାଲିଯିବ ଦିନେ ଭଦ୍ରମୁଖା ନର
ପିଠିରେ ଛୁରାକୁ ଭୂସି ।
ବୁଝେନି ସମ୍ପର୍କ ଗଢି ଚାଲେ ଖାଲି
ପାଇବାର ଛଳ କରି
ନିଜକୁ ହରାଏ ପାଇବାର ଆଶେ
ଛଳନାର ଅସ୍ତ୍ର ଧରି ।।