ଭାଷା ସୁରକ୍ଷାର ସାରଥି
ଭାଷା ସୁରକ୍ଷାର ସାରଥି
ଓଡ଼ିଶା ବୁକୁରେ ବରପୁତ୍ର ତୁମେ
ସୁକର୍ମ କରିଲେ ବୋଲି
ନିଜର ଛାଇକୁ ଭଲ ନ ପାଇକି
ଓଡ଼ିଆକୁ ପ୍ରେମ ଖାଲି।
ପାଠରେ କିଏ ସେ ତୁମ ପରି ହେବ
ପ୍ରଥମ ମନ୍ତ୍ରୀରେ ଗଣା
ବିନା ସ୍ୱାର୍ଥ ହାତେ ଧରିକି ଓଡ଼ିଆ
ସଭିଙ୍କୁ କଲ ଆପଣା।
ଭାଷା ସାହିତ୍ୟକୁ ଓଡ଼ିଶାରେ ଛବି
ଆଙ୍କି ଦେଇଅଛ ତୁମେ
ସେଥିପାଇଁ ଆମେ ଗର୍ବରେ କହୁଛୁ
ଆମେ ଓଡ଼ିଆ ଏ ଧାମେ।
କି ମନ୍ତ୍ର ଫୁଙ୍କିଲ ଉତ୍କଳ ଜାତିକୁ
ଜାଗ୍ରତ ହେବାକୁ ଦିନେ
ଏ ସୁପ୍ତ ଓଡ଼ିଆ ସହଯୋଗ କଲା
ଭାଷା ସାହିତ୍ୟର ପ୍ରାଣେ।
ବିଷ ମଞ୍ଜି ପୋତୁଥିଲେ ସେ ବଙ୍ଗାଳୀ
ହୀନ ଦୃଷ୍ଟି ଥିଲା ଯା'ର
ଜବାବ ଦେଇକି ବଞ୍ଚାଇ ରଖିଲ
ଆଜି ଯା' ଝରୁଛି ନୀର।
ଭାଷା ପ୍ରେମ ଯୋଗୁଁ ଗର୍ବରେ କହୁଛୁ
ଓଡ଼ିଆ ଜାତିରେ ଆମେ
ଧନ୍ୟ ହୋଇଅଛୁ ତୁମରି ଯୋଗୁଁ ହେ
ଏହି ଓଡ଼ିଶାର ପ୍ରାଣେ।
ଏ ଓଡ଼ିଆ ଭାଷା ବହୁ ପୁରାତନ
ପ୍ରମାଣ କରିଲ ଯେବେ
ସେନାପତି ରାୟ ଗୌରୀ ଓ ମେହେର
ଦାସ ସହଯୋଗ ଭବେ।
ଖିଆପିଆ ଭୁଲି ଅନିଦ୍ରା ସହିତ
କରିବାରୁ ଆଜି ଆମେ
ସଂସାର ହାଟରେ ଚାଲିବା ହେଉଛି
ତୁମରି ଏ ଦାନ ଭୂମେ।
ଅଗ୍ରଜ ସାରଥି ହେ ମଧୁସୂଦନ
ତୁମର ସହଯୋଗୀଙ୍କୁ
କୋଟିଏ ପ୍ରଣତି ଆଉ ଧନ୍ୟବାଦ
ଆଶିଷ ଦିଅ ଆମକୁ।
ପାଳନ କରୁଛୁ ଆଜି ଓଡ଼ିଶାରେ
ବିଶ୍ବରେ ଓଡ଼ିଆ ଭାଷା
ବଞ୍ଚାଇ ରଖିବୁ ଶପଥ କରୁଛୁ
ଯୁଗେଯୁଗେ ନିରନ୍ତର।
