ଭାର୍ଗବୀ ଡାକୁଛି ଆରେ ଗୋପ
ଭାର୍ଗବୀ ଡାକୁଛି ଆରେ ଗୋପ
ଖୋଜୁଛି ଉତ୍କଳ ତା ମଣି ରତନ
ସ୍ପନ୍ଦିତ ହେଉଛି ସମାଜ ହୃଦ
ଖୋଜେ ସତ୍ଯବାଦୀ ଶାନ୍ତିନିକେତନ
ବଖାଣୁଛି ଗାଥା ଧରମପଦ ।
ଡାକେ ଅପରୂପା ରୂପସୀ ଚିଲିକା
ରେଳଯାତ୍ରା କାଳେ ପଥିକେ ଠାରି
ସନ୍ଦର୍ଶନ କର ଚାରୁ ଚିତ୍ରପଟ
ଶୋଭା ନୈସର୍ଗିକ ଦେହେ ମୋ ଭରି ।
ସ୍ମୃତି ପଞ୍ଚସଖା ବନ୍ଦୀ ଆତ୍ମକଥା
ଜାତି ସ୍ବାତନ୍ତ୍ର୍ଯତା କୃତ ସଙ୍କଳ୍ପ
କରେ ସଞ୍ଜିବୀତ କୋଟି କୋଟି ପ୍ରାଣ
ଧନ୍ଯ ଗୋପବନ୍ଧୁ ଚିର ନମସ୍ଯ ।
ହେ ମହାନାୟକ ତୁମରି ନେତୃତ୍ବ
ଜାଳିଅଛି ଜାତି ବିପ୍ଳବ ବହ୍ନି
ସାକାର କରିଛି ସ୍ବପ୍ନକୁ ତାହାର
ପାରିଛି ଜାତି ତା ବୈଶିଷ୍ଟ୍ଯ ଚିହ୍ନି ।
ନବୀନ ଓଡି
ଶା କର୍ଣ୍ଣଧାର ତୁମେ
ଦୀନ ଦରିଦ୍ରର ଦରଦୀ ବନ୍ଧୁ
ସଳିତାଟି ପରି ଜଳି ଜଳି ନିଜେ
କରିଅଛ ଦୂର ତମସା ହୃଦୁ ।
ସମ୍ଭାବନାମୟ ଅନନ୍ଯା ଓଡିଶା
ପ୍ରଗତିର ପଥେ ପ୍ରୟାସରତ
କୃଷି ଶିଳ୍ପ ଶିକ୍ଷା କଳାର ଉତ୍କର୍ଷ
ପ୍ରତିପାଦେ ନିଜ କୃତି ମହତ୍ତ୍ବ ।
ନିଷ୍ଠା ସୁକର୍ତ୍ତବ୍ଯ ସୃଜନ ସାହିତ୍ଯେ
ଓଡିଆ ପୁଅର ପାରଙ୍ଗମତା
ଉଜ୍ଜ୍ବଳି ଉଠଇ ସ୍ୱର୍ଣ୍ଣିମ ପୂର୍ବାଶା
ଶଙ୍ଖନାଦେ କିର୍ତ୍ତୀ ବିଜୟ ଗାଥା ।
ପିତା ଦଇତାରୀ ମାତା ସ୍ବର୍ଣ୍ଣମୟୀ
ସରଗଲୋକରୁ ଶୁଭେ ବିଳାପ
ଆଉ ଥରେ ଜନ୍ମ ନିଅ ଜାତିପ୍ରାଣ
ଭାର୍ଗବୀ ଡାକୁଛି ଆ'ରେ ଗୋପ ।
-