ଭାବନା ମଞ୍ଜରୀ
ଭାବନା ମଞ୍ଜରୀ
କବିତା - ଭାବନା ମଞ୍ଜରୀ
ରଚନା - ପଞ୍ଚାନନ ଜେନା
ତାରିଖ -୦୯-୦୨-୨୦୨୬
++++++++++++++++
ଭାବନା ମଞ୍ଜରୀ କଳ୍ପନା ଲହରୀ
ମନରେ ତରଙ୍ଗ ଟାଣେ
ଚେତନା ବଲ୍ଲରୀ ଚୈତନ୍ୟ ମାଧୁରୀ
ସମାଧାନ ମଞ୍ଜି ବୁଣେ ।୧
ଭାବନା ବିନ୍ୟାସ ସପନ ବିଳାସ
ଭାବମୂଳେ ସର୍ବ ସିଦ୍ଧି
ଜଳ୍ପନା ଦ୍ୟୋତକ ଅଳ୍ପନା ମୋଦକ
ଭବକୂଳେ ଶୁଭବୁଦ୍ଧି ।୨
ଭାବିଲେ ସମସ୍ୟା ଭାବିଲେ ସରସା
ଭାବସିନ୍ଧୁ ବହେ ଓଜାଣି
ଭାବନା ଲହରୀ ଭସାଏ ଭଉଁରୀ
ଅକାତ କାତ କାହାଣୀ |୩
ଜୀବନଟା ପରା ସସାଗରା ଧରା
ଶୁଖିଲା ପତର ପ୍ରାୟ
ଭାସିବୁଲେ ଖାଲି ହଲି ଦୋହଲି
ପତ୍ତା ଇୟତ୍ତା ଭୟ ।୪
ଭବନେତ୍ର ଫେଡ଼ି ଦେଖିନିଅ କାଢ଼ି
କର୍ମମୟ ଜୟଯାତ୍ରା
ଜଞ୍ଜାଳ ରହିବ ସମସ୍ୟା ଟେକିବ
ସମସ୍ୟାମୟ ମାତ୍ରା ।୫
ମନରେ ବିଷାଦ ବିଷବଳୟ ଖାଦ
ପୁରେଇଲେ ହେବ ଇଷ୍ଟ
ମୁଠାଏ ତବତ ଦୁଇଖଣ୍ଡ ନେତ
ବଞ୍ଜିବା ହିଁ ଯଥେଷ୍ଟ |୬
ମୋର ମୋର କହି ମୁଠାଏ ରୁଣ୍ଡେଇ
ଲୋଉ ମୋହ ମାୟା
କେହି ଯିବେ ନାହିଁ କୁନ୍ଥେଇଲେ ଶୋଇ
ଚିହ୍ନିବ ସେଦିନ ଛାୟା ।୭
କଚିମ ଖୋଳପା ଛାଡ଼ିହୁଅ ଚେପା
ଅଳପେ ସନ୍ତୁଷ୍ଟ ସୁଧା
ବିଳାସ ବ୍ୟସନ ନୁହଁ ପ୍ରୟୋଜନ
ଅଳିକ କ୍ଷଣିକ ମେଧା ।୮
ଭାବନା ପୟର ବିଭୁପାଦ ଧର
ଭକ୍ତିଭାବେ ଜ୍ଞାନସ୍ବର୍ଗ
ଭାବର ଠାକୁର ନିଳାଦ୍ରୀଶଶ୍ବର
ନିରାକାରେ ଓଁକାର ମାର୍ଗ ।୯
ଭାବନା କଳିକା ଭାବର ବାଟିକା
ସୁମନ ପ୍ରସୁନ କଳି
କୋମଳ କାକଳି ପରାୟେ ମରାଳୀ
ସର୍ବମୟ କାର୍ଯ୍ୟାବଳୀ ।୧୦
