ଭାବିଥିଲି.....
ଭାବିଥିଲି.....
ଭାବିଥିଲି ରାତିଟି ଅଟକିଥିଲେ ଦୁହେଁ ମିଶି ହୁଏତ
କିଛିଟା ଫେଡିପାରିଥାନ୍ତେ କେଉଁ କାଳରୁ ସଞ୍ଚିତ ଆମର
ଯେତେ ସବୁ ମାନଅଭିମାନ , କ୍ଳାନ୍ତି ଆଉ ନିସଙ୍ଗତାକୁ ।
ହେଲେ ଥରୁଟିଏ ବି ତ କାହିଁ କହିଲନି
ରହି ଯାଅ ବୋଲି
ଓଠରେ ନକହି ଆଖିରେ ତ କହିପାରିଥାଅନ୍ତ
ନାଁ କହିଥିଲ ହେଲେ ମୁଁ ଶୁଣି ପାରିନଥିଲି
ବୁଝି ପାରି ନଥିଲି ସେ କ୍ଷୀଣ ଇଙ୍ଗିତକୁ
ତୁମ ଆଖି ଆଉ ହୃଦୟର ଭାଷା
ମୁଁ କ'ଣ ଆଜିଯାଏଁ ବୁଝିପାରିନି
ତୁମେ ବି ତ ବୁଝି ପାରିଲନି ଏଯାଏଁ ଏ ମଣିଷଟିକୁ
ନାଁ ଜାଣିଶୁଣି ଏ ଯୋଜନା ରଚିଥିଲ
ଦେହପ୍ରାଣକୁ ମୋର ତୃଷାର୍ତ୍ତ ରଖିବାକୁ ।
ଅଭିଯୋଗକାରିଣୀ ଅଭିମାନୀ ମନ ତୁମର
ଖୁସି ପାଇଲା କି ମୋତେ ଏଇମିତି ଆଡ଼େଇ ଦେଇ
ନାଁ ତୁମେ ବି ମୋ ଭଳି ଏକାକୀ ବିନିଦ୍ରରେ କାଟିଥିଲ
ପୁରା ରାତିଟି ପୂର୍ବର ଅଗଣିତ ରାତି ପରି
ନାଁ ସବୁ କେବଳ ଏ ମନର ନିରର୍ଥକ କଳ୍ପନା ମାତ୍ର ।
ଧରିନେବି କି ମୋର ସାନିଧ୍ୟ ପାଇଁ ଆଉ ନାହିଁ
ଆଗ ଭଳି ତୁମ ହୃଦୟରେ ସାମାନ୍ୟତମ ଉଦ୍ଦୀପନା ଉତ୍
କଣ୍ଠା
ବରଂ କାମଚଳା ଆଦର ଦେଇ ତୁମକୁ ତୁଲେଇବାକୁ ହୁଏ
ତଥାକଥିତ ଆବଶ୍ୟକୀୟ ସାମାଜିକ ପାରିବାରିକ ଦାୟିତ୍ୱ
ଏଥିରେ ଅଣନିଃଶ୍ବାସୀ ଲାଗେନି ଆତ୍ମା କାନ୍ଦେନି ତୁମର
ଅସାର ଲାଗେନି ବିରକ୍ତି କରେନି ଏ କୋଳାହଳ ପୂର୍ଣ୍ଣ ବସନ୍ତ
ବୈରାଗ୍ୟ ଆସେନି ଏ ରଙ୍ଗ ସ୍ୱାଦହୀନ ଜୀବନ ପ୍ରତି
ନାଁ ଏସବୁ ପାଇଁ କେବଳ ମୁଁ ହିଁ ଏକା ଦାୟୀ ,
ଦାୟୀ ମୋର ଅବାନ୍ତର ଫମ୍ପା ଆଦର୍ଶ
ଏ ସବୁ ପ୍ରଶ୍ନର ଉତ୍ତର ତୁମକୁ ସିଧାସଳଖ ପଚାରି ପାରନ୍ତି ହେଲେ ପଚାରିପାରେନି କେବ ବି
କାରଣ ତୁମଠାରୁ ସିଧାସଳଖ ଉତ୍ତର ତ କେବେ ମିଳିବନି ବରଂ ତୁମକୁ କୈଫିୟତ ମାଗିଲା ଭଳି ଲାଗିବ
ତା'ପରେ ଆହୁରି ଅଲଂଘ୍ଯ ହେବ ଆମ ମଧ୍ୟରେ ଦୂରତା ତେଣୁ ଥାଉ ଯେମିତି ଚାଲିଛି ଚାଲୁଥାଉ ନିତୀରେ
ଏଇମିତି ତ ଅନ୍ତରର କେତେ ଜମାଟ ବନ୍ଧା ପଥୁରିଆ ଅଂଶକୁ
କ୍ଷଣକ ମଧ୍ୟରେ ସମୟ ପାଣି କରିଦେଇଛି ଅତିତରେ
ଆମ ସଂମ୍ପର୍କର ସରୁ ଧିର ପାଣି ନିଶ୍ଚିତ ଦିନେ
ସବୁ ବାଧକ ବଧୀରାପଣକୁ ଚୁର୍ଣ୍ଣ କରି
ଆଗେଇ ଯିବ ଆଗକୁ ଆଗକୁ ।