ଭାବଗ୍ରାହୀ ଭଗବାନ
ଭାବଗ୍ରାହୀ ଭଗବାନ
ଭାବରେ ଭାବରେ ବାନ୍ଧୁ,
ଭାବର ଅତୁଲ୍ୟ ବନ୍ଧନ,
ଭାବକୁ କରି ଗ୍ରହଣ,
ହେଉ ଭାବଗ୍ରାହୀ ଭଗବାନ।
ଭାବରେ ଭାବରେ ଡାକିଲା,
ଭକତ ବାଉରୀ ଦାସିଆ,
ଭାବରେ ନଡ଼ିଆ ପଠାଇଲା,
ଭାବରେ ନେଲୁ ଚକାଆଖିଆ।
ଭାବର ଭକତ ସାଲବେଗ,
ଡାକିଲା ହୋଇ ସେ ଆବେଗ,
ଚାଲି ପାରୁ ନାହିଁ ମୁଁ ବାଟ,
ମୁଁ ଯିବା ଯାଏ ହେ ନାଥ,
ଅଟକାଇବୁ ତୋ ରଥ ।
ଶୁଣିଲୁ ଭକତ ଡାକ,
ଭାବରେ ବାନ୍ଧି ହେଲୁ ତୁ ନାଥ,
ଭକତ ପାଇଁ କି ତୁ ପ୍ରଭୁ,
ବଡଦାଣ୍ଡେ ଗଡ଼ିଲାନି ତ ଚକ।
ଭାବର ସେ ଭକତ,
ଭାବର ତୁ ଭଗବାନ,
ଭାବର ଶୁଣି ତୁ ଡାକ
ଅଟକାଇ ତୁ ରଥ,
ଭକତେ ତୁ ଦେଲୁ ଦର୍ଶନ,
ତୁ ଭାବଗ୍ରାହୀ ଭଗବାନ ।
ଭାବରେ ଭାବରେ ,
ବଳରାମ ଦାସ,
ଡାକିଲା ହେ କୃତ୍ତିବାସ,
ମୋ ବାଲି ରଥରେ ହୋଇ ବିଜେ,
ରଖ ରଖ ମୋ ମହତ।
ଭାବଗ୍ରାହୀ ତୁ ନାଥ,
ବାଲି ରଥେ ହୋଇ ଆରୁଢ଼,
ରଖି ଭକତ ମହତ,
କାଳ କାଳକୁ ରଖିଲୁ ଯଶ ତ।
ଭାବରେ ବନ୍ଧା ଭଗବାନ ତ,
ଭାଵ ଥିଲେ ଭକତର ତ,
ବାଲି ରଥେ ବି ବିଜେ ହୁଏ,
ଜଗତର ନାଥ ଜଗନ୍ନାଥ ତ ।
ଭାବରେ ଡାକିଲା ,ବନ୍ଧୁ ମହାନ୍ତି,
ଭୋକ ଯେ ସମ୍ଭାଳି ପାରୁ ନାହାଁନ୍ତି,
ହେ ଛପନ ଭୋଗ ଖିଆ,
ହେ ମୋର ଚକାଆଖିଆ,
ମୋର ପରିବାର କୁ ରଖ ତ,
କିଛି ଆମକୁ ଖାଇବାକୁ ଦିଅ ତ ।
ଭାବରେ ବନ୍ଧା ତୁ ନାଥ,
ରାତି ଅଧେ ଭୋଗ ଥାଳି ଦେଲୁ ତ,
ଭାଵରେ ଭାବରେ ବନ୍ଧୁ କରିଦେଇ,
ବନ୍ଧୁ ମହାନ୍ତିକୁ କଲୁ ଜଗତେ ବିଖ୍ୟାତ।
ଚିନ୍ତାରେ ଚିନ୍ତମଣି,
ଅନ୍ତରେ ଅନ୍ତର୍ଯ୍ୟାମୀ,
ଭାବରେ ଭାବଗ୍ରାହୀ,
ଭାବରେ ଅନୁଗ୍ରାହୀ,
ଭାବର ଭଗବାନ,
ତୁ ତ କଳା ବଦନ।
ସଭିଙ୍କ ଭାଵକୁ ,
ତୁ ଜାଣିପାରୁ,
ହେ ମହାବାହୁ,
ପ୍ରଭୁ ମୋ ବେଳକୁ,
କିଆଁ ଅନ୍ଧ ମୁକ,
ବିଧିର ହେଉ ।
ତୁ ଅଟୁ ଭାବଗ୍ରାହୀ ଭଗବାନ,
ମୋ ଭାବରେ କରୁ ତୁ ଆସ୍ଥାନ,
ତଥାପି କାହିଁକି ସଦା ରହେ ,
ନିରଭିଜା ମୋ ନୟନ,
ଅପେକ୍ଷା ରତ ଥାଏ ମୋ ମନ,
ତଥାପି ମିଳେନି ତୋ ଦରଶନ,
ହେ ମୋର ଭାବଗ୍ରାହୀ ଭଗବାନ ।