ଭାବାବେଗ
ଭାବାବେଗ
ମୋ ମନ ଅଗଣା ଉପବନେ ଦିନେ ଶିଶିର ଟୋପାଟେ ହୋଇ
ଝରିଥିଲ ତୁମେ ଅଭ୍ର ମୋତିର ଢଳଢଳ ଶୋଭା ନେଇ
ତୁମରି ସଜଳ ମୁଖ
ରକ୍ତ ଗୋଲାପର ରୂପର ମାଧୁରୀ ବିଞ୍ଚୁଥିଲା ଚଉପାଖ ।
ମୋ ହୃଦ କୁଞ୍ଜରେ କଞ୍ଜରେ କଞ୍ଜରେ କୋକିଳକଣ୍ଠୀ ଗୋ ଆସି
ପ୍ରୀତି ପିଆଲାରେ ଅଧରେ ମୋହର ଅମୃତ ଦେଲ ଗୋ ବର୍ଷି
ତୁମରି ମଧୁର ଛୁଆଁ
ରଚିଗଲା ମୋର ହୃଦୟ କାନ୍ତାରେ ପ୍ରୀତି ପ୍ରଣୟର ନିଆଁ ।
ଶୁଷ୍କ ଜୀବନେ ବିଜନ ମରୁରେ ଅଳକାନନ୍ଦା ଗୋ ତୁମେ
ଫୁଟାଇଲ ଲକ୍ଷେ ଶତଦଳ ତୁମେ ନିର୍ଜନ ଏ ତନୁ ଭୂମେ
ବଜାଇଲ ସାହାନାଇ
ହୃଦୟ ବେଳାକୁ ନୀଳନୟନା ଗୋ ଊର୍ମି ହୋଇ ଗଲ ଛୁଇଁ ।
ଫୁଙ୍ଗୁଳା ବକ୍ଷେ ମୋ ଘନକେଶୀ ତୁମେ ମେଘର ମହ୍ଲାର ରଚି
ଶିହରଣ ଭରି ଅବୟବେ ମମ ପୀୟୁଷ ଦେଲ ଗୋ ସିଞ୍ଚି
ମୁକୁଳ କବରୀ ତବ
କୃଷ୍ଣଚୂଡାର ଦଳିତ ଆବେଗ ଆଣୁଥିଲା ଭାବାବେଗ ।
ବନ୍ଧନ ଆମ ଯୁଗଯୁଗ ପାଇଁ ରହିଗଲା ପରା ସଖୀ
ଚାଲୁଥିବା ପଥ ମୁକ୍ତିର ଦୁଆରେ ଏକ ହାତେ ଆନ ରଖି
ଜନ୍ମ ଜନ୍ମାନ୍ତର ପାଇଁ
ଏକ ହୋଇ ଆମେ ସରଜି ଯିବା ଗୋ ନନ୍ଦନ ବନର ଭୂଇଁ ।

