ଭାବ ଅନୁଭୂତି
ଭାବ ଅନୁଭୂତି
ଜୀବନ ଅଛି ତ ସମସ୍ୟା ବି ଅଛି
ଅଛି ପୁଣି ସମାଧାନ,
ସବୁରି ମୂଳରେ କର୍ତ୍ତବ୍ୟ ଭିତରେ
ରହିଛନ୍ତି ଭଗବାନ।
ବୃଥା ବ୍ଯସ୍ତ ହୋଇ କିଛି ଲାଭ ନାହିଁ
ସମୟଟା ବଳବାନ,
ଉଚିତ୍ ସମୟ ଯେବେ ଆସିଯିବ
କାର୍ଯ୍ୟ ହେବ ନିଶ୍ଚେ ପୂର୍ଣ୍ଣ।
ଅପେକ୍ଷାର ଫଳ ମିଠା ହୋଇଥାଏ
ଅସାର ବଚନଟିଏ,
କିନ୍ତୁ ଧୈର୍ଯ୍ୟ ଧରି ରଖିବାର ଶକ୍ତି
ସଭିଙ୍କ ପାଖେ ନଥାଏ।
ଧୈର୍ଯ୍ୟହରା ଜନ ପାଏ କଷ୍ଟମାନ
କ୍ରୋଧଟି ଦୁଃଖ କାରଣ,
ଧୈର୍ଯ୍ୟ ଅଟେ ସବୁଠାରୁ ଭଲ ଅସ୍ତ୍ର
ଜିତିବାକୁ ସବୁ ମନ।
ସବୁଠାରୁ ଭଲ ଔଷଧଟି ହସ
ସର୍ବ ରୋଗ ଦୂରକାରୀ,
ସବୁଠାରୁ ବଡ଼ ସମ୍ପତ୍ତିଟି ବୁଦ୍ଧି
କିଛି ନାହିଁ ତାହା ପରି।
ବିଶ୍ଵାସ ଅଟଇ ସୁନ୍ଦର ସୁରକ୍ଷା
ସଂସାର ହାଟରେ ଭାଇ,
ବିନା ପଇସାରେ ସ୍ନେହ ପ୍ରେମ ଶ୍ରଦ୍ଧା
ହସିଦେଲେ ମିଳୁଥାଇ।
ମଧୁର ବଚନ କିଣିନିଏ ମନ
ଓଠେ ଆପେ ହସ ଫୁଟେ,
କଟୁବାଣୀ କିନ୍ତୁ କୋମଳ ହୃଦକୁ
ମର୍ମେ ମର୍ମେ ପରା କାଟେ।
ଶିଶୁଟିଏ ଯେହ୍ନେ ଚାହେଁ ନାହିଁ ଅର୍ଥ
ଚାହେଁ ଖାଲି ଶ୍ରଦ୍ଧା ମାତ୍ର,
ଯେଉଁଥି ପାଇଁକି ତା' ଓଠର ମିଠା
ହସ ଲାଗଇ ଅମୃତ।
ଶାନ୍ତି ଅଟେ ଏଠି ସୁଖ ଅନୁଭୂତି
ଭାବ ବନ୍ଧନର ପ୍ରୀତି,
ଅଭାବରେ ଘୃଣା, ଦ୍ଵେଷ, ଅଭିମାନ
ମନେ ଜାତ ଅମାରାତି।
ମମତାର ସ୍ଵାଦ ଅମୃତର ସମ
ମାଆର ପଣତ କାନି,
ଭାବ ଭୟ ଭକ୍ତି ଜୀବନେ ପ୍ରଗତି
ଆଉ କିଛି ନାହିଁ ବାଣୀ।
