ବେସୁରା ରାଗିଣୀ
ବେସୁରା ରାଗିଣୀ
ଆଙ୍କିଛି କେତେ ମୁଁ ଚାରୁ ଚିତ୍ରକଳା
ମାନିନାହିଁ ଖରା ଶୀତ
ତୁମପାଇଁ ସଖୀ ବେସୁରା ରାଗରେ
ଗାଇଛି କେତେ ମୁଁ ଗୀତ I
ଅଳସୀ ନଈର ସ୍ୱଚ୍ଛ ଜଳଧାରେ
ଆଙ୍କିଛି ତୁମର ଛବି
ମନେ ମନେ କେତେ ସପନ ଦେଖିଛି
ତୁମ କଥା ଭାବି ଭାବି I
ତୁମରି କଣ୍ଠର ସୁଲଳିତ ସ୍ୱରେ
ହଜିଛି ମୁଁ ବେଳେ ବେଳେ
ବୃନ୍ତଚ୍ୟୁତ ହୋଇ କେତେ ପ୍ରୀତିଫୁଲ
ଲୋଟି ଯାଇଛନ୍ତି ତଳେ I
ଆଖିରେ ଲଗାଇ ପ୍ରେମର ଅଞ୍ଜନ
ତୁମକୁ ଯେବେ ମୁଁ ଦେଖେ
ଆକାଶ ପୃଥିବୀ ଏକାକାର ହୁଏ
ହସଖେଳେ ତୁମ ମୁଖେ I