ବେଶ୍ୟା
ବେଶ୍ୟା
ମୁଁ ଏ ସମାଜ ର ଅତି ଅବାଞ୍ଛିତ ଅବହେଳିତ ଚରିତ୍ର
ଭଦ୍ର-ମୁଖା ପିନ୍ଧା ଅଭଦ୍ର କୁତ୍ସିତ ଚେହେରାର, କାମ ବାସନା ରେ ଦୁସ୍ଥ ।
ହୋଇପାରେ ଆଡମ୍ବର ଚାକଚକ୍ୟ ଭରା ମୋ ଜୀବନ, ହେଲେ ଅନ୍ତରେ ମୁଁ ଦୁସ୍ଥ
ଭଦ୍ର-ମୁଖା ପିନ୍ଧା ଅଭଦ୍ର କୁତ୍ସିତ ଚେହେରା ର ଲୁଣ୍ଠନ ରେ, ହୁଏ ନିତି ତ୍ରସ୍ତ୍ର ।
ଏ ସଭ୍ୟ ସମାଜରେ ମୁଁ ନିହାତି ଅଲୋଡା ନାହିଁ ମୋର ସ୍ଥାନ
ମିଥ୍ୟା ସମବେଦନା ବାହାନାରେ ସେ ଦିଏ ଯାହା, ସେ ତ ସୁଦୁ ଅପମାନ ।
ଶିକ୍ଷିତ ସେ ନୀତିନିଷ୍ଠ ଦିନ ର ଆଲୋକେ, ସାଜେ ସମାଜ ରକ୍ଷକ
ଅନ୍ଧକାରେ କଦାକାର ଶୃଗାଳ କି?, ଲୋଡା ତା'ର ନାରୀ ରକ୍ତ ମାଂସ ।
କଳୁଷିତ ଦୂଷିତ ମୁଁ, ବୋହି ତା'ର କାମନା କଳୁଷ
କିନ୍ତୁ ସମାଜ ରେ ହୁଏ ସେ ପୂଜ୍ୟସ୍ପଦ, ସବୁ ମୋର ଏକା ଦୋଷ !
ହୋଇପାରେ ସେ ନେତା, ମନ୍ତ୍ରୀ ଯନ୍ତ୍ରୀ ଅଫିସର ଠିକାଦାର
କିନ୍ତୁ ବୁଭୁକ୍ଷୁ ପଶୁ ଠାରୁ ହୀନ, ଭୃତ୍ୟ ସେ ଅତୃପ୍ତ କାମନା ଅଗ୍ନି ର ।
ମାନବତା ସଭ୍ୟତା ନାରୀ ସୁରକ୍ଷା, କଥା ମଞ୍ଚ ରେ ବଖାଣି
ଦଗ୍ଧ କରି ତା'ର କାମାନଳେ ମୋ ଶରୀର, ଖାଏ ସେ ଶ୍ୱାନ ପ୍ରାୟ ଝୁଣି ।
ସେ ଶଠ କରେ କପଟ, ମୋତେ ସଜାଇ ବିଟପୀ
କାରଣ? ପେଟ ପାଇଁ ଶରୀର ମୁଁ ଦେଇଥାଏ ବିକି ।
କି ବିଡ଼ମ୍ବିତ ନ୍ୟାୟ ସତେ!! ଏହି ସଭ୍ୟ ସମାଜ ର
ପାଏ ସେ ଗୌରବ ପୌରୁଷ ର, ମୁଁ ପିନ୍ଧେ ଟୀକା କଳଙ୍କ ର ।
ପାଷାଣୀ ସାଜି ପଡିଛି ମୁଁ ଆଜି, ନାହିଁ ସମ୍ମାନ ର ବୃଥା ଆଶା
କିଏ ବା କାହିଁକି? ଦେବ ଏହି ଅଧିକାର, ଜାଣିଲେ ସେ ମୋତେ ଗୋଟେ ବେଶ୍ୟା ।
